ମୁମ୍ବାଇ: ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିଦିଆଯାଇଛି । ବିଜେପି ନେତାଙ୍କ ସୁରକ୍ଷା ଲାଗି ନାଗପୁର ପୋଲିସର ‘ଫୋର୍ସ ଓ୍ବାନ’ ଟିମ୍କୁ ମୁତୟନ କରାଯାଇଛି । ଗୁଇନ୍ଦା ସୂଚନା ଆଧାରରେ ଫଡ଼ନାଭିସଙ୍କ ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି । ତାଙ୍କ କାରକେଡ୍ରେ ସୁରକ୍ଷା ବୃଦ୍ଧି ସହ ବାସଭବନ ବାହାରେ ମଧ୍ୟ ଅଧିକ ପୋଲିସ କର୍ମୀ ମୁତୟନ ହୋଇଛନ୍ତି । ବିଜେପି ନେତାଙ୍କ ବାସଭବନର ଫାଟକ ନିକଟରେ ଫୋର୍ସ ଓ୍ବାନର ଯବାନ ଅତ୍ୟାଧୁନିକ ବନ୍ଧୁକ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି ।
ଦେବେନ୍ଦ୍ର ଫଡ଼ନାଭିସଙ୍କ ପାଖରେ ପୂର୍ବରୁ ଜେଡ୍ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ରହିଛି । ବିଭିନ୍ନ ସୁରକ୍ଷା ଏଜେନ୍ସିର ତଥ୍ୟ ଆଧାରରେ ଫଡ଼ନାଭିସ୍ଙ୍କ ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି । ବିଜେପି ନେତାଙ୍କ ସୁରକ୍ଷାକୁ ନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ମଧ୍ୟ ରିପୋର୍ଟ ଦେଇଛି । ମହାରାଷ୍ଟ୍ରରେ ବିଷ୍ଣୋଇ ଗ୍ୟାଙ୍ଗର ଦୌରାତ୍ମ୍ୟ ବଢ଼ୁଥିବାରୁ ଫଡ଼ାନାଭିସଙ୍କ ସୁରକ୍ଷା ବଢ଼ାଇବା ଦିଗରେ ସୁରକ୍ଷା ଏଜେନ୍ସି ଜୋର ଦେଇଛନ୍ତି ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଦେବେନ୍ଦ୍ର ଫଡ଼ାନାଭିସଙ୍କ ସୁରକ୍ଷାକୁ ନେଇ ଏହି ଖବର ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ୨୮୮ ଆସନ୍ ଥିବା ମହାରାଷ୍ଟ୍ର ବିଧାନସଭା ଲାଗି ନଭେମ୍ବର ୨୦ରେ ନିର୍ବାଚନ ହେବ । ନଭେମ୍ବର ୨୩ରେ ନିର୍ବାଚନୀ ଫଳାଫଳ ଘୋଷଣା ହେବ । ଅକ୍ଟୋବର ୨୨ରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ଅକ୍ଟୋବର ୨୯ ଥିଲା । ପ୍ରାର୍ଥୀପତ୍ର ଯାଞ୍ଚ ଅକ୍ଟୋବର ୩୦ରେ ଶେଷ ହୋଇଥିବା ବେଳେ ନଭେମ୍ବର ୪ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ।