ନୂଆଦିଲ୍ଲୀ: ବିହାର ପ୍ରଶାସନିକ ସେବା ପରୀକ୍ଷା (ବିପିଏସସି) ବାତିଲ କରିବାକୁ ଦାବି କରି ଆଜିଠୁ ପାଟନାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି ଜନସୁରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର । ଆଶାୟୀଙ୍କ ଦାବିକୁ ସମର୍ଥନ ଜଣାଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଆମରଣ ଅନଶନରେ ବସିଛନ୍ତି ଜନସୁରାଜ ମୁଖ୍ୟ । ପୂର୍ବରୁ ସେ ସରକାରଙ୍କୁ ୪୮ ଘଣ୍ଟାର ଅଲ୍ଟିମେଟମ ଦେଇଥିଲେ । ଯଦି ଜାନୁଆରୀ ୨ ସନ୍ଧ୍ୟା ସୁଦ୍ଧା ସମସ୍ୟାର ସମାଧାନ ନହୁଏ ତେବେ ସେ ନିଜେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ ପ୍ରଶାସନ୍ତ କିଶୋର । ସେପଟେ ପ୍ରଶାନ୍ତ କିଶୋର ଧାରଣାରେ ବସିବା ପରେ ବିପିଏସସି ପରୀକ୍ଷା ଦେଇଥିବା ଆଶାୟୀଙ୍କ ଆନ୍ଦୋଳନ ପୁଣି ଥରେ ତୀବ୍ର ହୋଇଛି ।
ସୂଚନାଯୋଗ୍ୟ, ବିପିଏସସିର ୭୦ତମ ପ୍ରିଲିମ୍ସ ପରୀକ୍ଷା ଡିସେମ୍ବର୧୩ରେ ହୋଇଥିଲା । ହେଲେ ପରୀକ୍ଷାରେ ଦୁର୍ନୀତି ଅଭିଯୋଗ ଆଣି ଆଶାୟୀ ଏହାକୁ ପୁଣିଥରେ କରିବାକୁ ଦାବି କରୁଛନ୍ତି । ଗତ ୨ ସପ୍ତାହରୁ ଅଧିକ ସମୟ ଧରି ଆଶାୟୀଙ୍କ ଧାରଣା ଜାରି ରହିଥିବା ବେଳେ, ଆଶାୟୀଙ୍କୁ ପ୍ରଶାନ୍ତ କିଶୋର, ତେଜସ୍ବୀ, ପପ୍ପୁ ଯାଦବଙ୍କ ଭଳି ନେତାଙ୍କ ସହ ଦେଶର ଜଣାଶୁଣା ଖାନ ସାରଙ୍କ ମଧ୍ୟ ସମର୍ଥନ ମିଳିଛି ।
ଆମରଣ ଅନଶନରେ ବସିଥିବା ପ୍ରଶାନ୍ତ କିଶୋରଙ୍କ ୫ ଦାବି ରହିଛି । ପ୍ରଥମ ଦାବି- ବିପିଏସସି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ଦୁର୍ନୀତିର ଉଚ୍ଚସ୍ତରୀୟ ଯାଞ୍ଚ ହେଉ ଏବଂ ପୁନର୍ବାର ପରୀକ୍ଷା କରାଯାଉ । ଦ୍ବିତୀୟ ଦାବି- ୨୦୧୫ରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ, ୧୮ରୁ ୩୫ ବର୍ଷର ସବୁ ବେରୋଜଗାର ଯୁବକଙ୍କୁ ଭତ୍ତା ଦିଆଯାଉ । ତୃତୀୟ ଦାବି- ଗତ ୧୦ ବର୍ଷରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପେପର ଲିକର ଯାଞ୍ଚ ଏବଂ ଦୋଷୀଙ୍କ ଉପରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ଶ୍ବେତ ପତ୍ର ଜାରି କରାଯାଉ ।
ଚତୁର୍ଥ ଦାବି- ଗଣତନ୍ତ୍ରର ଜନନୀ ବିହାରକୁ ଲାଠିତନ୍ତ୍ର କରିଥିବା ଦୋଷୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଅନ୍ତିମ ଦାବି- ବିହାରର ସରକାରୀ ଚାକିରିରେ ବିହାର ଯୁବକଙ୍କ ପାଇଁ ଦୁଇ ତୃତୀୟାଂଶ ସଂରକ୍ଷଣ ରହୁ ଏବଂ ଏଥିପାଇଁ ଡୋମିସାଇଲ ନୀତି ଲାଗୁ କରାଯାଉ ।
ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୂର୍ବତନ ନିକଟତମ ସହଯୋଗୀ ପ୍ରଶାନ୍ତ କିଶୋର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିପିଏସସି ପରୀକ୍ଷାରେ ଅନିୟମିତତାକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ନୀତୀଶଙ୍କ ନିରବତାକୁ ନେଇ ସେ ପ୍ରଶ୍ନ ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟ ଯେ, ୯୦୦ କେନ୍ଦ୍ରରେ ୫ ଲକ୍ଷ ପିଲା ବିପିଏସସି ପରୀକ୍ଷା ଦେଇଥିଲେ । ପାଟନାର ଏକାଧିକ ପରୀକ୍ଷା କେନ୍ଦ୍ରରେ ଶତାଧିକ ପରୀକ୍ଷାର୍ଥି ପ୍ରଶ୍ନପତ୍ର ଲିକ୍ ହୋଇଥିବା ଦାବି କରି ପରୀକ୍ଷାକୁ ବୟକଟ୍ କରିଥିଲେ ।
ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ବିହାର ଲୋକସେବା ଆୟୋଗ ଖଣ୍ଡନ କରିଥିବା ବେଳେ ୧୦ ହଜାର ପରୀକ୍ଷାର୍ଥୀଙ୍କ ପାଇଁ ପୁଣି ଥରେ ପରୀକ୍ଷା ଆୟୋଜନ କରିଥିଲା । ଏଥିପାଇଁ ବିବାଦରେ ଥିବା ପରୀକ୍ଷା କେନ୍ଦ୍ର ବାପୁ ପରୀକ୍ଷା ପରିଷଦକୁ ବାଛିଥିଲା ଆୟୋଗ । ଏହାକୁ ନେଇ ଆନ୍ଦୋଳନ ତୀବ୍ର ହୋଇଥିଲା । ଆନ୍ଦୋଳନକାରୀଙ୍କ ଅନୁସାରେ, କମ୍ ପିଲାଙ୍କ ପାଇଁ ପୁଣି ଥରେ ପରୀକ୍ଷା ଆୟୋଜନ କରିବା ଦୁର୍ନୀତିକୁ ଦର୍ଶାଉଛି । ତେଣୁ ବିପିଏସ୍ସି ପରୀକ୍ଷା ବାତିଲ କରାଯାଇ ପୁଣି ଥରେ କରାଯାଉ ବୋଲି ଦାବି ହୋଇଛି ।