ଚଣ୍ଡୀଗଡ,୨।୧: ପଞ୍ଜାବରେ ହେବ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ। ଖଲିସ୍ତାନୀ ନେତା ଅମୃତପାଲ ସିଂହ ଏବେ ନୂତନ ଦଳ ତିଆରି କରିବାର ପ୍ରସ୍ତୁତିରେ। ସେ ଏହାର ଘୋଷଣା ଆସନ୍ତା ୧୪ ତାରିଖରେ କରିପାରନ୍ତି। ଅମୃତପାଲ୍ ନିଜର ନୂଆ ପାର୍ଟି ଗଠନ ନେଇ ମୁକ୍ତସର ସାହିବରେ ହେବାକୁ ଥିବା ମାଘ ମେଳାରେ ଘୋଷଣା କରିବେ। ଏହି ମେଳାରେ ବହୁ ସଂଖ୍ୟକ ଶିଖ୍ ସମାଜର ଲୋକ ଏକାଠି ହୁଅନ୍ତି। ଲୋହଡି ଅବସରରେ ହେଉଥିବା ମେଳା ପଞ୍ଜାବରରେ ଖୁବ୍ ମହତ୍ବ ରଖେ। ଏହାଛଡା ଅମୃତପାଲ ସିଂହଙ୍କ ବାପା ଓ ତାଙ୍କ ସମର୍ଥକମାନେ ପନ୍ଥ ବଞ୍ଚାଅ, ପଞ୍ଜାବ ବଞ୍ଚାଅ ରାଲିର ଯୋଜନା ମଧ୍ୟ ଆୟୋଜନ କରିଛନ୍ତି। ଏହି ରାଲିରେ ପାର୍ଟିର ଘୋଷଣା ଅମୃତପାଲ ସିଂହଙ୍କ ପରିବାର ଓ ସମର୍ଥକଙ୍କ ପକ୍ଷରୁ କରାଯିବ।
ଉଲ୍ଲେଖନୀୟ ଯେ, ଅମୃତପାଲ ସିଂହ ବର୍ତ୍ତମାନ ଆସାମର ଡେବ୍ରୁଗଡ ଜେଲ୍ରେ ଅଛନ୍ତି। ତାଙ୍କ ବିରୋଧରେ ‘ରାସୁକା’ ଅର୍ଥାତ ଏନଏସଏ(ନ୍ୟାସନାଲ ସିକ୍ୟୁରିଟି ଆକ୍ଟ) ଲଗାଯାଇଛି। ଅମୃତପାଲ ୨୦୨୪ ଲୋକସଭା ନିର୍ବାଚନ ଜିତିସାରିଛନ୍ତି। ଏବେ ସେ ଜେଲ୍ରେ ଅଛନ୍ତି। ନିର୍ବାଚନ ପାଇଁ ତାଙ୍କ ପରିବାର ଲୋକ ପ୍ରଚାର କରିଥିଲେ ଏବଂ ଏକ ବଡ଼ ବ୍ୟବଧାନରେ ସେ ଜିତିଥିଲେ। ଏବେ ଅମୃତପାଲ ସିଂହଙ୍କ ରାଜନୈତିକ ଦଳ ଗଠନ କରିବାର ଘୋଷଣା ତାଙ୍କ ବାପା ତରସେମ୍ ସିଂହଙ୍କ ସହଯୋଗୀ ସୁଖବିନ୍ଦର ସିଂହ ଅଗଭାନ କରିଛନ୍ତି। ସୁଖବିନ୍ଦର କଠୋରପନ୍ଥୀ ବିଚାରଧାରାର ଜଣେ ବ୍ୟକ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାରେ ସାମିଲ ଥିବା ସତଓ୍ବନ୍ତ ସିଂହଙ୍କ ପୁତୁରା। ଅମୃତପାଲ ସିଂହ ଓ ତାଙ୍କ ପରିବାର ଭିତରେ ଖୁବ୍ ଘନିଷ୍ଠ ସମ୍ପର୍କ ରହିଛି।