ନୂଆଦିଲ୍ଲୀ: ସ୍ପିଡ଼ ବ୍ରେକର(ହମ୍ପ୍ସ) ଉପରେ ଗାଡି ଅତିକ୍ରମ କରିବା ବେଳେ ମୃତ୍ୟୁ ହୋଇଥିବା ଜଣେ ଲୋକଙ୍କ ଜୀବନ ଫେରିଆସିଛି। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟି ସତରେ ଘଟିଛି। ମହାରାଷ୍ଟ୍ରର କୋହ୍ଲାପୁର ଅଞ୍ଚଳରେ ଡିସେମ୍ବର ୧୬ ତାରିଖରେ ଜଣେ ୬୫ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ମରଶରୀରକୁ ନେଇ ଯାଉଥିବା ଗାଡ଼ି ଏକ ସ୍ପିଡ଼ ବ୍ରେକର ଅତିକ୍ରମ କରିବା ସମୟରେ ତାଙ୍କ ଜୀବନ ଫୁଣି ଫେରିଆସିଥିବା ନେଇ ଖବର ମିଳିଛି।
କସବା-ବାୱାଡ଼ାର ପାଣ୍ଡୁରଙ୍ଗ ଉଲପେ ନାମକ ଜଣେ ୬୫ ବର୍ଷିୟ ବୃଦ୍ଧଙ୍କୁ ହଠାତ ହୃଦଘାତ ହୋଇଥିଲା। ପାଣ୍ଡୁରଙ୍ଗଙ୍କୁ ହୃଦଘାତ ହେବା ପରେ ତାଙ୍କ ପରିବାର ଲୋକ ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନା ନେଇଯାଇଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଥିବା ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆଉ ଏହାପରେ ପାଣ୍ଡୁରଙ୍ଗଙ୍କ ପରିବାର ଲୋକମାନେ ମୃତଶରୀରକୁ ନେବାପାଇଁ ଏକ ଆମ୍ବୁଲାନ୍ସ ଯୋଗାଡ କରିଥିଲେ।
ଆମ୍ବୁଲାନ୍ସଟି ପାଣ୍ଡୁରଙ୍ଗଙ୍କ ମୃତଶରୀରକୁ ତାଙ୍କ ଘରକୁ ଆଣୁଥିବା ବେଳେ ରାସ୍ତାରେ ଏକ ସ୍ପିଡ଼ ବ୍ରେକର ପଡିଥିଲା। ଏହି ସ୍ପିଡ଼ ବ୍ରେକର ଉପରେ ଗାଡି ଛଢିବା କ୍ଷଣି ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସ୍ପିଡ଼ ବ୍ରେକର ଉପରେ ଗାଡି ଛଢିବା କ୍ଷଣି ପାଣ୍ଡୁରଙ୍ଗ ନିଜର ଆଙ୍ଗୁଠି ହଲାଇଥିଲେ। ଏହି ଘଟଣାକୁ ପରିବାରଲୋକ ଦେଖିବା ପରେ ତାଙ୍କୁ ପୁଣିଥରେ ଅନ୍ୟଏକ ଡାକ୍ତରଖାନାକୁ ନେଇଯାଇଥିଲେ।
ପାଣ୍ଡୁରଙ୍ଗଙ୍କୁ ଦ୍ୱିତୀୟ ହସ୍ପିଟାଲରେ ଆନ୍ତରିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏଠାରେ ଥିବା ଡାକ୍ତରମାନେ ତାହ୍କର ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ସେ ଡାକ୍ତରଖାନାରେ ୧୫ ଦିନ ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।
ପାଣ୍ଡୁରଙ୍ଗ ଏନେଇ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି “ମୁଁ ପ୍ରାତଃ ଭ୍ରମଣ କରିବା ପରେ ଘରକୁ ଫେରି ଚା ପିଇଥିଲି। ଏହାପରେ ମତେ ଅସୁସ୍ଥ ଅନୁଭବ ହେବା ସହ ମତେ ଅଣନିଶ୍ୱାସି ଲାଗିଥିଲା। ଏହା ପରେ ମତେ ବାନ୍ତି ମଧ୍ୟ ହୋଇଥିଲା। ଆଉ ତାପରେ କଣ ହୋଇଛି କଣ ନ ହୋଇଛି ମତେ କିଛି ଜଣା ନାହିଁ” ବୋଲି ସେ କହିଛନ୍ତି।
ପ୍ରଥମେ ଉଲପେଙ୍କୁ ମୃତ ଘୋଷଣା କରିଥିବା ଡାକ୍ତରଖାନା ଏପର୍ଯ୍ୟନ୍ତ ଯାଏଁ ଏହି ଘଟଣା ସମ୍ପର୍କରେ କୌଣସି ବିବୃତ୍ତି ଜାରି କରିନାହିଁ।