ଅହମ୍ମଦାବାଦ,୦୧/୦୬: ଚଳିତ ଆଇପିଏଲ୍ରେ ରବିବାର ଖେଳାଯିବ ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା । ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍ରେ ହେବେ ସାମ୍ନା ସାମ୍ନି । ବିଜୟୀ ଦଳ ମଙ୍ଗଳବାର ଦିନ ଫାଇନାଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ । ଉଭୟ ଦଳ ପାଇଁ ଏହା ସେମି ଫାଇନାଲ୍ । ତେଣୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ ।
ସପ୍ତାହକ ମଧ୍ୟରେ ଉଭୟ ଦଳ ଦ୍ୱିତୀୟ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଗତ ୨୬ ତାରିଖରେ ଅନୁଷ୍ଠିତ ଲିଗ୍ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ୭ ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିଲା । ପରେ ପ୍ରଥମ କ୍ୱାଲିଫାୟର ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସଠୁ ପରାଜିତ ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଏଲିମିନେଟର ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ହରାଇ ଦ୍ୱିତୀୟ କ୍ୱାଲିଫାୟରକୁ ଯୋଗ୍ୟତା ଅର୍ଜନ କରିଥିଲା ।
ଏଣିକି ମୁମ୍ବାଇ ଇଣ୍ଡିଆନ୍ସକୁ ଅଟକାଇବା କଷ୍ଟକର ହେବ । କାରଣ ୧୭ ବର୍ଷ ମଧ୍ୟରେ ମୁମ୍ବାଇ ୬ଥର ଫାଇନାଲ୍ ଖେଳି ସାରିଛି ଓ ଏଥି ମଧ୍ୟରୁ ୫ଥର ଚାମ୍ପିଅନ୍ ହୋଇଛି । ପଞ୍ଜାବ କିଙ୍ଗସ କେବଳ ୨୦୧୪ରେ ଫାଇନାଲ୍ ଖେଳିଥିଲା ଓ କୋଲକାତା ନାଇଟ ରାଇଡର୍ସ ଠାରୁ ପରାଜିତ ହୋଇଥିଲା । ଏଥର ଚାମ୍ପିଅନ୍ ହେବା ଭଳି କ୍ଷମତା ପଞ୍ଜାବ କିଙ୍ଗ୍ସ ନିକଟରେ ରହିଛି । ୧୧ବର୍ଷ ପରେ ଶ୍ରେୟାସ ଆୟର ପଞ୍ଜାବ କିଙ୍ଗ୍ସକୁ ପ୍ଲେ-ଅଫ୍ରେ ପହଞ୍ଚାଇଛନ୍ତି । ତାଙ୍କ ବଳିଷ୍ଠ ନେତୃତ୍ୱ ଶୈଳୀକୁ ରୋହିତ ଶର୍ମାଙ୍କ ସହ ତୁଳନା କରାଯାଉଛି । ରୋହିତଙ୍କ ନେତୃତ୍ୱରେ ହିଁ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଚାମ୍ପିଅନ୍ ହୋଇଛି ।
ଉଭୟ ଦଳ ଇତି ମଧ୍ୟରେ ୧୫ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଛନ୍ତି । ତେଣୁ ପ୍ରଦର୍ଶନ ଓ ଫର୍ମକୁ ନେଇ ଆଲୋଚନା କରିବାର ଆବଶ୍ୟକତା ଆଉ ନାହିଁ । ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ କ୍ରମର ପ୍ରଥମ ୭ଜଣଙ୍କ ମଧ୍ୟରେ ୪ଜଣ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନଥିବା ବ୍ୟାଟର ରହିଛନ୍ତି । ତଥାପି ଦଳ ୫ଥର ୨୦୦ରୁ ଊଦ୍ଧ୍ୱର୍ ରନ ସଂଗ୍ରହ କରିଛି । ମୁମ୍ବାଇ ଇଣ୍ଡିଆନ୍ସର ଶ୍ରେଷ୍ଠ ଦ୍ୱାଦଶରେ କେବଳ ଜଣେ ଅର୍ନ୍ତଜାତୀୟ କ୍ରିକେଟ୍ ଖେଳି ନଥିବା ବ୍ୟାଟର (ନମନ ଧିର) ରହିଛନ୍ତି । ତେଣୁ ବଡ଼ ମ୍ୟାଚ୍ରେ ଅଭିଜ୍ଞତା ବେଶ୍ ଗୁରୁତ୍ୱ ରଖିବ । ତଥାପି ରିକି ପଣ୍ଟିଂ ଓ ଆୟର ଯୋଡ଼ି ମୁମ୍ବାଇ ଇଣ୍ଡିଆନ୍ସର ଶକ୍ତି ସହ ବେଶ୍ ପରିଚିତ ଥିବାରୁ କିଛି ସ୍ୱତନ୍ତ୍ର ରଣନୀତି ଆପଣେଇବେ ।
ଆୟରଙ୍କ ବ୍ୟାଟିଂ ଉପରେ ମଧ୍ୟ ଦଳର ଭାଗ୍ୟ ନିର୍ଭର କରିବ । ସେ ନିଜ ଘରୋଇ ଗ୍ରାଉଣ୍ଡ (ମୁଲନପୁର)ରେ ଏଥର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ହେଲେ ଅନ୍ୟ ସବୁ ଗ୍ରାଉଣ୍ଡ୍ରେ ରାଜୁତି କରିଛନ୍ତି ।ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍ରେ ମ୍ୟାଚ୍ ଖେଳାଯାଉଥିବାରୁ ଆୟରଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ବାହାରିବା ଆଶା କରାଯାଉଛି । ଏହି ଗ୍ରାଉଣ୍ଡ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ବିଜୟ ସହ ପଞ୍ଜାବ କିଙ୍ଗ୍ସ ଅଭିଯାନ ଆରମ୍ଭ କରିଥିଲା । ଆୟର ଅପରାଜିତ ୯୭ ରନ୍ର ଇନିଂସ ଖେଳିଥିଲେ । ଆଜି ଉଭୟ ଦଳରେ ପରିବର୍ତ୍ତନ ହୋଇପାରେ । ୟୁଝବେନ୍ଦ୍ର ଚହଲ ଫିଟ୍ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି । ସେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି ।
ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ମଧ୍ୟ ରିଚାର୍ଡ ଗ୍ଲିସନ ଆହତ ହୋଇଛନ୍ତି । ତାଙ୍କ ସ୍ଥାନରେ କରଣ ଶର୍ମାଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି । ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ବ୍ୟାଟର ଜନି ବେୟାରଷ୍ଟୋ ଓ ସୂର୍ଯ୍ୟକୁମାରଙ୍କ ପାଇଁ ଆଜି ଚହଲ ଚ୍ୟାଲେଞ୍ଜ ରୂପେ ଉଭା ହେବେ । ଚହଲ ପୂର୍ବରୁ ବେୟାରଷ୍ଟୋଙ୍କୁ ୪ଥର ଓ ସୂର୍ଯ୍ୟକୁମାରଙ୍କୁ ୩ଥର ଆଉଟ୍ କରିସାରିଛନ୍ତି । ସେହିପରି ବୁମରା ପୂର୍ବରୁ ମାର୍କସ ଷ୍ଟଇନିସ୍ଙ୍କୁ ୩ଥର ଆଉଟ୍ କରିସାରିଛନ୍ତି ।
ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା ପାଇଁ ନାଲି ମାଟିର ପିଚ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ଏହି ପିଚ୍ରେ ଏକ ମ୍ୟାଚ୍ ଖେଳାଯାଇଥିଲା ଓ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଥିଲା । ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଟସ ସେଭଳି ଗୁରୁତ୍ୱପୂର୍ଣ୍ଣ ହେବ ନାହିଁ । ଏଠାରେ ଖେଳାଯାଇଥିବା ୭ଟି ମ୍ୟାଚ୍ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୬ଟି ମ୍ୟାଚ ଜିତିଛନ୍ତି । ତଥାପି ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ସମ୍ଭାବ୍ୟ ଦ୍ୱାଦଶ
ମୁମ୍ବାଇ ଇଣ୍ଡିଆନ୍ସ: ଜନି ବେୟାରଷ୍ଟୋ, ରୋହିତ ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ଚରିଥ ଆଶାଲଙ୍କା/ବେଭନ ଜାକବ୍ସ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ ଧିର, ମିଚେଲ ସାଣ୍ଟନର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା, ରାଜ ଅଙ୍ଗଦ ବାୱା, କରଣ ଶର୍ମା ।
ପଞ୍ଜାବ କିଙ୍ଗ୍ସ: ପ୍ରଭସିମରନ ସିଂହ, ପ୍ରିୟାଂଶ ଆର୍ଯ୍ୟ, ଜୋସ ଇଂଲିଶ, ଶ୍ରେୟାସ ଆୟର (ଅଧିନାୟକ), ନେହାଲ ୱଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ, ଅଜମତୁଲ୍ଲା ଓମାରଜାଇ, ହରପ୍ରୀତ ବ୍ରାର, କେଲି ଜାମିସନ, ୟୁଝବେନ୍ଦ୍ର ଚହଲ, ବିଜୟ କୁମାର ବୈଶାଖ ।