ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ତାରକା ବ୍ୟାଟ୍ର ହେନରିକ କ୍ଲାସେନ ଅନ୍ତର୍ଜାତୀୟ କ୍ରିକେଟରରୁ ସନ୍ନ୍ୟାସ ନେଇଛନ୍ତି । ସେ ପୂର୍ବରୁ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଏବେ କ୍ଲାସେନ୍ ଇନଷ୍ଟାଗ୍ରାମରେ ଏକ ଭାବୁକ ପୋଷ୍ଟ ସେୟାର କରି ଏହି ଘୋଷଣା କରିଛନ୍ତି । କ୍ଲାସେନ ଜାନୁଆରୀ ୨୦୨୪ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ, କିନ୍ତୁ ଦେଶ ପାଇଁ ଟି-୨୦ ଓ ଦିନିକିଆ ଇଣ୍ଟରନ୍ୟାସନାଲ୍ ଖେଳୁଥିଲେ । ଚଳିତ ବର୍ଷ ଏପ୍ରିଲ୍ରେ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ତାଙ୍କୁ ଜାତୀୟ ଚୁକ୍ତିରେ ସାମିଲ କରିନଥିଲା ।
ହେନରିକ୍ କ୍ଲାସେନ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଏହା ମୋ ପାଇଁ ଅତ୍ୟନ୍ତ ଦୁଃଖର ଦିନ । ଅନ୍ତର୍ଜାତୀୟ କ୍ରିକେଟରୁ ନିଜକୁ ଅଲଗା କରିବା ପାଇଁ ମୁଁ ନିଷ୍ପତ୍ତି ନେଇଛି । ମୋର ଓ ମୋ ପରିବାର ପାଇଁ ସବୁଠୁ ଭଲ କଣ ତାହା ଉପରେ ନିଷ୍ପତ୍ତି ନେବା ପାଇଁ ମୋତେ ଅଧିକ ସମୟ ଲାଗିଗଲା । ଏହା ସତରେ କଠିନ ନିଷ୍ପତ୍ତି ଥିଲା, କିନ୍ତୁ ମୁଁ ଏଥିରେ ସଂପୂର୍ଣ୍ଣ ରୂପେ ସନ୍ତୁଷ୍ଟ ଅଛି । ନିଜ ଦେଶକୁ ପ୍ରତିନିଧିତ୍ବ କରିବା ମୋ ପାଇଁ ସବୁଠୁ ସମ୍ମାନର କଥା ଥିଲା ।
୩୩ ବର୍ଷୀୟ ହେନରିକ୍ କ୍ଲାସେନ ଲେଖିଛନ୍ତି, ‘ଦେଶ ପାଇଁ ଖେଳିବା ମୋର ପିଲା ଦିନରୁ ସ୍ବପ୍ନ ଥିଲା । ମୁଁ ଏଥିପାଇଁ ପରିଶ୍ରମ କରିଥିଲି । ଏହି ସମୟରେ ମୁଁ ଅନେକ ଭଲ ବନ୍ଧୁ ଓ ସମ୍ପର୍କ ଗଢିଛି। ସେମାନଙ୍କୁ ସାରା ଜୀବନ ମୋ ସହ ରଖିବି । କ୍ରିକେଟ୍ ମୋତେ ଅନେକ ମହାନ ବ୍ୟକ୍ତିଙ୍କୁ ଭେଟିବାର ସୌଭାଗ୍ୟ ଦେଇଛି । ମୋର ଜୀବନ ବଦଳାଇ ଦେଇଛି । ମୁଁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି ।’
ହେନରିକ କ୍ଲାସେନ୍ ତିନୋଟି ଫର୍ମାଟରେ ଖେଳିଥିଲେ । ସେ ଚାରୋଟି ଟେଷ୍ଟ, ୬୦ଟି ଦିନିକିଆ ଏବଂ ୫୮ଟି ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ। ଏଥିରେ ସେ ଯଥାକ୍ରମେ ୧୦୪, ୨୧୪୧ ଏବଂ ୧୦୦୦ ରନ୍ କରିଥିଲେ। କ୍ଲାସେନଙ୍କୁ ଶେଷ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ଖେଳିଥିଲେ । ଏହି ସମୟ ମଧ୍ୟରେ ସେ କେବଳ ଦୁଇଟି ମ୍ୟାଚ୍ ଖେଳି ୬୭ ରନ୍ କରିଥିଲେ।
କ୍ଲାସେନ IPL 2025 ରେ ଖେଳିବାର ସୁଯୋଗ ପାଇଥିଲେ । ସେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିଲେ । ଏହି ସିଜିନରେ ସେ ମୋଟ ୧୪ଟି ମ୍ୟାଚ୍ ଖେଳି ୪୮୭ ରନ୍ କରିଥିଲେ। ତାଙ୍କର ସର୍ବୋତ୍ତମ ସ୍କୋର ଥିଲା ଅପରାଜତି ୧୦୫ ରନ୍ । ସେ ଏହି ସ୍କୋର ଡିଫେଣ୍ଡିଂ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ କରିଥିଲେ।