ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବରଗଡ଼ରେ ବେକାବୁ ସ୍କ୍ରବ୍‌ ଟାଇଫସ୍‌: ତିନିଦିନରେ ଗଲାଣି ୪ ଜୀବନ, ଏବେ ବି ୨୨ ଜଣ ଚିକିତ୍ସାଧୀନ

ବରଗଡ଼,୧୨/୦୯: ବରଗଡ଼ ଜିଲ୍ଲାରେ  ବେକାବୁ ହେଉଛି ସ୍କ୍ରବ୍‌ ଟାଇଫସ୍‌ । ଏହି ମାରାତ୍ମକ  ବ୍ୟାକ୍ଟେରିଆଜନିତ ସଂକ୍ରମଣ ପୁଣି ୨ ମୁଣ୍ଡ ନେଇଛି । ଗତ  ତିନିଦିନରେ ୪ଜଣ ଏଥିରେ ଆଖି ବୁଜିଲେଣି । ଆହୁରି  ୨୨ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି । ଲଗାତାର  ଆକ୍ରାନ୍ତଙ୍କ ମୃତ୍ୟୁ ସମଗ୍ର ଜିଲ୍ଲାରେ ଭୟ ଓ ଆତଙ୍କ  ବାତାବରଣ ସୃଷ୍ଟି କରିଛି । 

ଗତ ସୋମବାର ଅମ୍ବାଭୋନା ବ୍ଲକ ବୁଙ୍ଗାପାଲି  ଗାଁର ଜଣେ ୪୨ ବର୍ଷୀୟା ଚାଷୀ ସ୍କ୍ରବ୍‌ ଟାଇଫସ୍‌ ଶିକାର  ହୋଇଥିଲେ । ମଙ୍ଗଳବାର ପଦ୍ମପୁରର ଜଣେ ୭୦  ବର୍ଷୀୟା ମହିଳା ଏବଂ ବୁଧବାର ପଦ୍ମପୁରର ୧୬ ବର୍ଷୀୟା  ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେହିଭଳି  ଭେଡେନ ବ୍ଲକର ବଗର୍ତ୍ତିପାଲିର ଜଣେ ମହିଳାଙ୍କ ଗତ  ୧ ତାରିଖରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।  ତିନିଦିନରେ ୪ଜଣଙ୍କ ମୃତ୍ୟୁ ଭୟ ବଢ଼ାଇଛି । ତେବେ  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଉପରୋକ୍ତ ଚାରି  ମୃତକଙ୍କ ସମ୍ପର୍କରେ ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ  ପାଖରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନ ଥିଲା । ସମସ୍ତେ  ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ  ଅବସ୍ଥାରେ ପ୍ରାଣ ହରାଇଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର  କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।  ବାରମ୍ବାର ପଚରାଯିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ  ସ୍କ୍ରବ୍‌ ଟାଇଫସ୍‌ଜନିତ ମୃତ୍ୟୁକୁ ସ୍ୱୀକାର କରିଛନ୍ତି ।  

ବୁଧବାର ଅପରାହ୍ନରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ.  ନିରୂପମା ଷଡ଼ଙ୍ଗୀ ଓ ଏଡିପିଏଚ୍‌ଓ ଡ. ସୁଶାନ୍ତ କର ସ୍କ୍ରବ୍‌  ଟାଇଫସ୍‌ ସମ୍ପର୍କରେ ତଥ୍ୟ ରଖିଥିଲେ । ସ୍କ୍ରବ୍‌ ଟାଇଫସ୍‌  ସନ୍ଦେହରେ ଗତ ଜାନୁୟାରୀରୁ ଅଦ୍ୟାବଧି ୪୧୯ ଜଣଙ୍କ  ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଏ ପର୍ଯ୍ୟନ୍ତ ୧୦  ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୪ ଜଣଙ୍କ  ମୃତ୍ୟୁ ହୋଇଛି । ଏବେ ଘରୋଇ ହସ୍ପିଟାଲରେ ୧୨  ଏବଂ ସରକାରୀ ହସ୍ପିଟାଲରେ ୧୦ ଜଣ ଚିକିତ୍ସାଧୀନ  ଅଛନ୍ତି । ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି  ଜିଲ୍ଲାର ସମସ୍ତ ଘରୋଇ ହସ୍ପିଟାଲକୁ ରିପୋର୍ଟ ମାଗିଛି  ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଲକ୍ଷଣଯୁକ୍ତ ରୋଗୀ ଥିଲେ ତୁରନ୍ତ  ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି  କୌଣସି ବ୍ୟକ୍ତିଙ୍କ ଶରୀରରେ ସ୍କ୍ରବ୍‌ ଟାଇଫସ୍‌ ଲକ୍ଷଣ  ଦେଖାଗଲେ ବିଳମ୍ବ ନ କରି ଡାକ୍ତରୀ ପରାମର୍ଶ କରିବା  ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିରୁପମା ଷଡ଼ଙ୍ଗୀ  ପରାମର୍ଶ ଦେଇଛନ୍ତି । ଏଥିସହ ରୋଗୀଙ୍କଠାରୁ ରକ୍ତ  ନମୁନା ସଂଗ୍ରହ କରି ନିୟମ ଅନୁସାରେ ଚିକିତ୍ସା କରିବାକୁ  ଜିଲ୍ଲାର ଡାକ୍ତରମାନଙ୍କୁ ଆହ୍ୱାନ ଦେଇଛନ୍ତି ।

 ଅନୁଧ୍ୟାନରୁ ଜଣାପଡ଼ିଛି ସ୍କ୍ରବ୍‌ ଟାଇଫସ୍‌ରେ ମୃତ  ଓ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ବରଗଡ଼ ଓ ପଦ୍ମପୁର  ଉପଖଣ୍ଡର । ପଦ୍ମପୁର, ପାଇକମାଳ, ଗାଇସିଲେଟ୍‌,  ଝାରବନ୍ଧ, ବିଜେପୁର, ଭେଡେନ୍‌ ଓ ଅମ୍ବାଭୋନା  ବ୍ଲକରେ ସଂକ୍ରମଣ ବଢ଼ିବାରେ ଲାଗିଛି । ହେଲେ ସ୍ୱାସ୍ଥ୍ୟ  ବିଭାଗ ତରଫରୁ ଏଯାଏ କୌଣସି ସତର୍କତାମୂଳକ  ପଦକ୍ଷେପ କିମ୍ବା ସାମୂହିକ ନମୁନା ପରୀକ୍ଷଣ ଆରମ୍ଭ  ହୋଇନାହିଁ । ଏଭଳି ଅବହେଳାକୁ ନେଇ ବୁଦ୍ଧିଜୀବୀ  ଓ ଚାଷୀ ସଙ୍ଗଠନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।  ଫସଲ ଅମଳ ସମୟରେ ସ୍କ୍ରବ୍‌ ଟାଇଫସ୍‌ ସଂକ୍ରମଣ  ଚାଷୀଙ୍କ ନିଦ ହଜାଇ ଦେଇଛି । ସରକାରୀସ୍ତରରେ  ବ୍ୟାପକ ସଚେତନତା ସୃଷ୍ଟି, ଆକ୍ରାନ୍ତଙ୍କ ଉତ୍ତମ ଚିକିତ୍ସା  ବ୍ୟବସ୍ଥା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ  କରିବାକୁ ଚାଷୀ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ।  

ସ୍କ୍ରବ୍‌ ଟାଇଫସ୍‌ କ’ଣ

ସ୍କ୍ରବ୍‌ ଟାଇଫସ୍‌ ‘ଓରିଏଣ୍ଟା ସୁସୁଗାମୁସି’ ନାମକ  ବ୍ୟାକ୍ଟେରିଆ ଜନିତ ସଂକ୍ରମଣ । ‘ଚିଗର୍ଗ’ ନାମକ କୀଟ  ଏହାର ବାହକ । ଏହି କୀଟ ସାଧାରଣତଃ ସନ୍ତସନ୍ତିଆ ଜମି,  ବୁଦୁବୁଦିଆ ସ୍ଥାନ, ଚାଷଜମି, ଫୁଲବଗିଚା ଆଦି ଅଞ୍ଚଳରେ  ଥାଆନ୍ତି । କୀଟ କାମୁଡ଼ିବା ପରେ ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ  ଘା’ ଭଳି କ୍ଷତ ହୋଇଯାଏ । ସଂକ୍ରମିତଙ୍କୁ ପ୍ରବଳ ଥଣ୍ଡ  ସହ ଜ୍ୱର ହୁଏ । ମୁଣ୍ଡ ବ୍ୟଥା, ମାଂସପେଶୀ, ଫୁସ୍‌ଫୁସ୍‌  ଭଳି ଆଭ୍ୟନ୍ତରୀଣ ଅଙ୍ଗରେ ଅସହ୍ୟ ଯନ୍ତ୍ରଣା ହୁଏ ।  ରୋଗୀ ବେଳେବେଳେ ମାନସିକ ସନ୍ତୁଳନ ହରାଇବସେ ।  ରୋଗ ଚିହ୍ନଟରେ ବିଳମ୍ବ ହେଲେ ଜୀବନ ଚାଲିଯାଏ । ସ୍କ୍ରବ୍‌ ଟାଇଫସ୍‌ ଆରୋଗ୍ୟ ସାଧ୍ୟ । ହେଲେ ସଂକ୍ରମଣ  ବଢ଼ିବା ପୂର୍ବରୁ ରକ୍ତ ନମୁନା ପରୀକ୍ଷାରୁ ଏହା ସ୍ପଷ୍ଟ ହେବା  ଜରୁରୀ । ଡାକ୍ତରଙ୍କ ଠିକ୍‌ ପରାମର୍ଶରେ ଔଷଧ ସେବନ  କଲେ ରୋଗୀ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.