ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ

ପୁରୀ,୧୮/୧୦: ପୁଣ୍ୟ କାର୍ତ୍ତିକରେ ଶ୍ରୀକ୍ଷେତ୍ରେ ରହି ମାସବ୍ୟାପୀ ଧର୍ମ କରିବୁ । ପୁଅବୋହୂ ନାତି ନାତୁଣୀଙ୍କୁ ଛାଡ଼ି ସାଂସାରିକ ମୋହ ତୁଟାଇ ଇଶ୍ୱର ମନସ୍କ ହେବୁ ।  ମହାପ୍ରଭୁଙ୍କ ଦର୍ଶନ କରି ରାଇଦାମୋଦର ବ୍ରତ  ପାଳିବୁ । ଏହି ଆଶା ନେଇ କିଏ ଗଞ୍ଜାମରୁ ତ କିଏ କୃଷ୍ଣପ୍ରସାଦରୁ ପୁଣି କିଏ ସୁଦୂର  ସମ୍ବଲପୁରରୁ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ।  ମାସବ୍ୟାପୀ ରହିବା ପାଇଁ ସାଥିରେ ଆଣିଥିଲେ ପୁଳାପୁଳା ସାମଗ୍ରୀ । ଅନ୍‌ଲାଇନ୍‌ରେ ଆବେଦନ  କରିଥିବା ଫର୍ମ ମଧ୍ୟ ସାଙ୍ଗରେ ଆଣିଥିଲେ ।  ହେଲେ ପହଞ୍ଚି ଦେଖିଲେ ତାଲିକାରେ ତାଙ୍କର ନାଁ ନାହିଁ । ଶିବିରରେ ରହିବା ପାଇଁ ତାଙ୍କର ଆବେଦନ ବାତିଲ ହୋଇଯାଇଛି ।

ଶିବିରରେ ରଖେଇ ଦେବା ପାଇଁ ହବିଷ୍ୟାଳିମାନେ ଅଧିକାରୀଙ୍କ ପାଦ ଧରିଲେ, ବାପାଧନ କହି  କାକୁତି ମୀନତି ହେଲେ, ଲୁହ ଢାଳି ଗୁହାରି କଲେ । ହେଲେ ନାଁ ନଥିବାରୁ କୌଣସି ବି ପରିସ୍ଥିତିରେ ଶିବିର ରଖିବା ସମ୍ଭବ ନୁହେଁ ବୋଲି  ଅଧିକାରୀ ସ୍ପଷ୍ଟ ମନା କରିଦେଇଥିଲେ । ଫଳରେ  ଉପାୟଶୂନ୍ୟ ହବିଷ୍ୟାଳି ଶିବିରରେ ରହିବା ଜିଦ୍‌ରେ ବୃନ୍ଦାବତି ନିବାସ ସମ୍ମୁଖ ରାସ୍ତାରେ  ଧାରଣା ଦେଲେ । ତଥାପି ମଧ୍ୟ ତାଙ୍କ ଦାବି ପୂରଣ  ନ ହେବାରୁ କାନ୍ଦିକାନ୍ଦି ଘରକୁ ଚାଲିଗଲେ । 

ଶୁକ୍ରବାରଠାରୁ କାର୍ତ୍ତିକ ମାସ ଆରମ୍ଭ ହେଉଥିବା ବେଳେ ଗୁରୁବାରଠାରୁ ଶ୍ରୀକ୍ଷେତ୍ରରେ  ହବିଷ୍ୟାଳି ଭିଡ଼ ଜମାଇଛନ୍ତି । ତାଙ୍କ ପାଇଁ  ସରକାରୀ ସ୍ତରରେ ହବିଷ୍ୟାଳି ଶିବିରରେ ରହଣି  ବ୍ୟବସ୍ଥା ହୋଇଛି । ହେଲେ ଅନେକ ହବିଷ୍ୟାଳି ଅନ୍‌ଲାଇନ ଆବେଦନ କରି ମଧ୍ୟ ରହିବାର ସୁଯୋଗ ପାଇନାହାନ୍ତି । କେତେକ ହବିଷ୍ୟାଳିଙ୍କ  ଅନ୍‌ଲାଇନ୍‌ ଆବେଦନ ଖାରଜ ହୋଇଯାଇଥିବାରୁ  ନାଁ କଟି ଯାଇଥିବା ବେଳେ କେତେକ ହବିଷ୍ୟାଳିଙ୍କର ଅନ୍‌ଲାଇନ ଗ୍ରହଣ ହୋଇ ମଧ୍ୟ  ତାଲିକାରେ ନାଁ ନାହିଁ । ଯେଉଁମାନେ ପ୍ରଥମ ଥର ପାଇଁ ହବିଷ୍ୟାଳି ଶିବିରରେ ରହିବାକୁ ଆବେଦନ  କରିଛନ୍ତି ସେମାନଙ୍କ ଆବେଦନ ପ୍ରାଥମିକତାର ସହ ଗ୍ରହଣ ହୋଇଛି ବୋଲି ପ୍ରଶାସନ କହୁଛି ।  ହେଲେ ପ୍ରଥମ ଥର ପାଇଁ ଆବେଦନ କରିଥିବା ଶହଶହ ହବିଷ୍ୟାଳି ମଧ୍ୟ ଗୁରୁବାର ଶିବିରରୁ କାନ୍ଦିକାନ୍ଦି ଫେରୁଥିବା ଦେଖିବାକୁ ମିଳିଥିଲା ।

ବ୍ରହ୍ମପୁରରୁ ଆସିଥିବା ତିନି ଯା’ ବିଷ୍ଣୁ  ପ୍ରଧାନ, ଶୁଆ ପ୍ରଧାନ ଓ ଲକ୍ଷ୍ମୀ ପ୍ରଧାନଙ୍କ  ମଧ୍ୟରୁ ବିଷ୍ଣୁ ପ୍ରଧାନ ପ୍ରଥମ ଥର ପାଇଁ  ଶିବିରରେ ରହିବାକୁ ଆବେଦନ କରିଥିଲେ । ହେଲେ କେବଳ ବିଷ୍ଣୁ ପ୍ରଧାନଙ୍କର ତାଲିକାରୁ  ନାଁ କଟିଯାଇଛି । ପୂର୍ବରୁ ୨ ବର୍ଷ ଲେଖାଏଁ  ଶିବିରରେ ରହିଥିବା ଶୁଆ ପ୍ରଧାନ ଓ ଲକ୍ଷ୍ମୀ  ପ୍ରଧାନଙ୍କର ନାଁ କିନ୍ତୁ ତାଲିକାରେ ଅଛି ।  ଏଣୁ ପ୍ରଥମ ଆବେଦନକାରୀଙ୍କ ଅଗ୍ରାଧିକାର ଦିଆଯାଉଥିବା କଥା ସଂପୂର୍ଣ୍ଣ ମିଛ ବୋଲି  ବିଷ୍ଣୁ ପ୍ରଧାନ କାନ୍ଦିକାନ୍ଦି କହିଛନ୍ତି । ଶିବିରରେ  ରହିବେ ବୋଲି ସେ ୨ ଦିନ ହେଲାଣି ପୁରୀ  ଆସି ବସଷ୍ଟାଣ୍ଡରେ ରହୁଥିଲେ । ଆଗ ପହଞ୍ଚିଲେ  ଆଗେ ରହିବାକୁ ସୁଯୋଗ ମିଳିବ ଭାବି ରାତି ନ  ପାହୁଣୁ ସେ ହବିଷ୍ୟାଳି ଶିବିରକୁ ଆସିଥିଲେ ।  ହେଲେ ସକାଳୁ ରାତି ହୋଇଗଲା ପଛେ ତାଙ୍କୁ  ଶିବିରରେ ପୂରାଇ ଦିଆଗଲାନି । ତାଙ୍କ ୨ ଯା’ଙ୍କର  ହୋଇଥିବା ବେଳେ ସେ ଏକୁଟିଆ ଏଥିରୁ ବାଦ୍‌  ପଡ଼ିଛନ୍ତି । ଏଣୁ ଏକୁଟିଆ ଘରକୁ ଫେରି ନ  ପାରି ଆଜି ରାତି ମଧ୍ୟ ବସ୍‌ଷ୍ଟାଣ୍ଡରେ ବିତେଇ ଶୁକ୍ରବାର ଘରକୁ ଫେରିଯିବେ ବୋଲି କହିଛନ୍ତି । ସେହିଭଳି ନୟାଗଡ଼ରୁ ଆସିଥିବା  ଅହଲ୍ୟା ସାସମଲ(୬୮)ଙ୍କ ପୁଅ ଗାଡ଼ି କରି  ଶିବିରକୁ ପଠାଇଥିଲା । ଗାଡ଼ି ଶିବିର ସମ୍ମୁଖରେ  ଛାଡ଼ି ଚାଲିଗଲା । ହେଲେ ଏବେ ତାଙ୍କ ନାଁ ତାଲିକାରେ ନାହିଁ । ପାଖରେ ଫୋନ ମଧ୍ୟ ନାହିଁ ।  ଏଣୁ କୁଆଡ଼େ ଯିବେ କଣ କରିବେ କାହାକୁ  ନିଜ ଅସୁବିଧା କହିବେ ଭାବି ଅହଲ୍ୟା ମଧ୍ୟ  ଶିବିର ସମ୍ମୁଖରେ କାନ୍ଦିକାନ୍ଦି ସନ୍ଧ୍ୟା ପର୍ଯ୍ୟନ୍ତ  ଅପେକ୍ଷା କରିଥିଲେ । 

କୃଷ୍ଣପ୍ରସାଦ ମାଲୁଦ ଗାଁରୁ  ଆସିଥିବା ସତ୍ୟମା ବିଶ୍ୱାଳ(୭୫) କହିଛନ୍ତି,  ବୟସ ଅଧିକ ଥିବାରୁ ଘରେ ତାଙ୍କୁ ଶିବିରରେ  ରହିବାକୁ ଛାଡୁନଥିଲେ । ସେ ଜିଦ୍‌ କରି ଏକୁଟିଆ  ଆସିଥିଲେ । ହେଲେ ଏବେ ଏଠି ତାଙ୍କ ନାଁ ନାହିଁ ।  ବାହାରେ ଭଡ଼ା ନେଇ ରହିବା ଭଳି ଟଙ୍କା ମଧ୍ୟ ପାଖରେ ନାହିଁ । ଏଣୁ ମାସକ ଯାକ ବଡ଼ଦାଣ୍ଡରେ  ଶୋଇ ହବିଷ କରି ଘରକୁ ଫେରିବେ ବୋଲି  ସେ କହିଛନ୍ତି । ସେହିଭଳି ବ୍ରହ୍ମଗିରିରୁ ଆସିଥିବା ଶଶିମଣି ମହାପାତ୍ର(୮୦)ଙ୍କର  ଅନ୍‌ଲାଇନରେ ଆବେଦନ ଗ୍ରହଣ ହୋଇଥିବା  ଦେଖାଉଥିଲେ ମଧ୍ୟ ତାଲିକାରେ ନାଁ ନ ଥିଲା । ଏହାର କାରଣ ସଂପର୍କରେ ଶିବିରରେ ଥିବା  ଅଧିକାରୀ ମଧ୍ୟ ସ୍ପଷ୍ଟୀକରଣ ଦେଇପାରିଲେନି  ଫଳରେ ଶଶିମଣି ମଧ୍ୟ ହତାଶ ହୋଇ ଫେରିଥିଲେ । ଶଶିମଣିଙ୍କ ଭଳି ବ୍ରହ୍ମଗିରିର  ସୁଷମା ସାହୁଙ୍କର ଅବସ୍ଥା ମଧ୍ୟ ସମାନ ।

ସୂଚନାଥାଉକି, ବିଗତ ବର୍ଷମାନଙ୍କରରେ  ୫ଟି ସ୍ଥାନରେ ଶିବିର ହେଉଥିଲା । ହେଲେ ଏବର୍ଷ  ବାଗେଡ଼ିଆ ଧର୍ମଶାଳାକୁ ବାଦ୍‌ ଦିଆଯାଇଛି । କେବଳ ବୃନ୍ଦାବତୀ ନିବାସ, ମୋଚି ସାହି କଲ୍ୟାଣ  ମଣ୍ଡପ, ବଗଲା ଧର୍ମଶାଳା ଓ ଅକ୍ଷୟପାତ୍ର  ଫାଉଣ୍ଡେସନରେ ହବିଷ୍ୟାଳିଙ୍କୁ ରଖାଯାଇଛି । ଯାହାଦ୍ୱାରା ବିଗତ ବର୍ଷ ତୁଳନାରେ ଏବର୍ଷ  ସରକାରୀ ସେବା ପାଉଥିବା ହବିଷ୍ୟାଳିଙ୍କ ସଂଖ୍ୟା  ସାମାନ୍ୟ କମ୍‌ ରହିଛି । ଅନ୍ୟପକ୍ଷରେ ଚଳିତ ବର୍ଷ ଆବେଦନ ଫର୍ମରେ ଏକ ନୂତନ ମାନଦଣ୍ଡ  ଯୋଡ଼ା ଯାଇଥିଲା । ପୂର୍ବରୁ ଶିବିରରେ ରହିଛନ୍ତି  କି ନାହିଁ ବୋଲି ଫର୍ମରେ ପ୍ରଶ୍ନ କରାଯାଇଥିଲା । ଯେଉଁମାନେ ହଁ ବୋଲି ଉତ୍ତର ଦେଇଥିଲେ,  ସେମାନଙ୍କ ତୁଳନାରେ ନୂତନ ଆବେଦନକାରୀଙ୍କୁ  ଅଧିକାରୀଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି  ଶିବିର ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର  ରାକେଶ ପଣ୍ଡା ପ୍ରକାଶ କରିଛନ୍ତି । ଏହା ଛଡ଼ା  ସଧବାମାନଙ୍କ ତୁଳନାରେ ବିଧବାମାନଙ୍କ  ଆବେଦନକୁ ଅଗ୍ରାଧିକାର ଦିଆଯାଇଛି ।  ଏହି ଭିତ୍ତିରେ ପାଖାପାଖି ୧୧୦୦ ଫର୍ମକୁ  ଖାରଜ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.