ନୂଆଦିଲ୍ଲୀ,୨୨/୦୭: ଜଣାଶୁଣା ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ଅନିଲ ଅମ୍ବାନିଙ୍କ ଅଡ଼ୁଆ ବଢ଼ିବ । ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ରିଲାଏନ୍ସ କମ୍ୟୁନିକେସନ ଏବଂ ଅନିଲଙ୍କୁ ଫ୍ରଡ୍ ସୂଚୀଭୁକ୍ତ କରିଛି । ଏହା ସହ ଅନିଲଙ୍କ ବିରୋଧରେ ସିବିଆଇରେ ମାମଲା ମଧ୍ୟ ରୁଜୁ କରିବ ଏସ୍ବିଆଇ । ଏ ନେଇ ସଂସଦ ପକ୍ଷରୁ ସୂଚନା ମିଳିଛି ।
ଆର୍ବିଆଇର ଫ୍ରଡ ରିସ୍କ ମ୍ୟାନେଜମେଣ୍ଟ ନିର୍ଦ୍ଦେଶାବଳୀ ଅନୁସାରେ ଜୁନ ୧୩ରେ ଏହି ଆକାଉଣ୍ଟକୁ ଫ୍ରଡ୍ ତାଲିକାଭୁକ୍ତ କରାଯାଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦକୁ ସୂଚନା ଦେଇଛନ୍ତି । ଜୁନ ୨୪ରେ ଏସ୍ବିଆଇ ଫ୍ରଡ ତାଲିକାଭୁକ୍ତ କରିବା ନେଇ ଆର୍ବିଆଇକୁ ଜଣାଇଥିଲା । ସେହିଭଳି ସିବିଆଇ ମାମଲାରେ ନେଇ ବ୍ୟାଙ୍କ ଅଗ୍ରସର ହୋଇଥିବା ଆର୍କମ୍ର ଦେବାଳିଆ ପ୍ରଫେସନାଲ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଜଣାଇଥିଲେ । ଆର୍କମ୍ ଉପରେ ଏସ୍ବିଆଇ ଦେଇଥିବା ୨୨୨୭ କୋଟି ଟଙ୍କାର ଋଣ ବକେୟା ରହିଛି । ସେହିଭଳି ଅଣ ଫଣ୍ଡ୍ ଭିତ୍ତିକ ବ୍ୟାଙ୍କ ଗ୍ୟାରେଣ୍ଟି ୭୮୬ କୋଟି ରହିଥିବା ସୂଚନା ମିଳିଛି । ନିକଟରେ କାନାରା ବ୍ୟାଙ୍କ ବମ୍ବେ ହାଇକୋର୍ଟଙ୍କୁ ଜଣାଇଥିଲା ଯେ, ଅନିଲ ଅମ୍ବାନିଙ୍କୁ ଫ୍ରଡ ତାଲିକାଭୁକ୍ତ ନିଷ୍ପତ୍ତି ପ୍ରତ୍ୟାହାର ହୋଇଛି । ଏହି ମାମଲା ଉପରେ ପୁଣି ଥରେ ବିଚାର କରାଯିବ।
ଏବେ ରିଲାଏନ୍ସ କମ୍ୟୁନିକେସନ ବିରୋଧରେ ଦେବାଳିଆ ସମାଧାନ ମାମଲା ଜାରି ରହିଛି । ଇନ୍ସଲଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସିକୋଡ୍ ଆଧାରରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରିଜଲ୍ୟୁଶନ ଯୋଜନାକୁ ଋଣଦାତା କମିଟି ମଞ୍ଜୁର କରିଛନ୍ତି । ଏହି ମାମଲା ଏନ୍ସିଏଲ୍ଟିଙ୍କ ଚୂଡାନ୍ତ ମଞ୍ଜୁରୀ ଅପେକ୍ଷାରେ ରହିଛି । ସେହିଭଳି ବ୍ୟାଙ୍କ ଅନିଲଙ୍କ ବିରୋଧରେ ବ୍ୟକ୍ତିଗତ ଦେବାଳିଆ ମାମଲା ରୁଜୁ କରିଛି । ଏହା ଏନ୍ସିଏଲ୍ଟିଙ୍କ ବମ୍ବେ ବେଞ୍ଚ ଶୁଣାଣି କରିବେ ।