ନୂଆଦିଲ୍ଲୀ,୨୨/୦୭: ଘଣ୍ଟାଏ ଭିତରେ ସ୍ବାସ୍ଥ୍ୟ ଖରାପ । ତୁରନ୍ତ ଉପରାଷ୍ଟ୍ରପତି ପଦରୁ ଇସ୍ତଫା । ଜଗଦୀପ ଧନଖଡ଼ ନେଇଛନ୍ତି ବଡ଼ ନିଷ୍ପତ୍ତି । ଉପରାଷ୍ଟ୍ରପତିଙ୍କ ନିଷ୍ପତ୍ତି ସମସ୍ତ ଚକିତ । ରାଜନେତା, ମନ୍ତ୍ରୀ, ସାଂସଦ ସମସ୍ତେ ଆଶ୍ଚର୍ଯ୍ୟ । କାର୍ଯ୍ୟକାଳ ଭିତରେ ଇସ୍ତଫା ଦେବାରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପ୍ରଥମ ନା ତାଙ୍କ ପୂର୍ବରୁ କିଏ ଏଭିଳି ନିଷ୍ପତ୍ତି ନେଇଛନ୍ତି ? ହଁ ଆଜ୍ଞା, ଜଗଦୀପଙ୍କ ପୂର୍ବରୁ ଦୁଇ ଜଣ ଅଛନ୍ତି ଯିଏ ଅଧାରୁ ଉପରାଷ୍ଟ୍ରପତି ପଦଭାର ଛାଡ଼ିଛନ୍ତି । କାର୍ଯ୍ୟାଳୟ ସମୟରେ ଇସ୍ତଫା ଦେବାରେ ଜଗଦୀପ ଧନଖଡ଼ ହେଉଛନ୍ତି ତୃତୀୟ ଉପରାଷ୍ଟ୍ରପତି ।
୨୦୨୫ ମୌସୁମୀ ଅଧିବେଶର ପ୍ରଥମ ଦିନରେ ହିଁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ପାର୍ଲାମେଣ୍ଟ ସେସନ ବେଳେ ଧନଖଡ଼ଙ୍କ ଇସ୍ତଫା ଅନେକଙ୍କୁ ଚକିତ କରିଛି । ହଠାତ୍ ପଦ ଛାଡ଼ିବା ରାଷ୍ଟ୍ରୀୟ ରାଜନୀତିରେ ସରଗରମ କରିଛି । ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାହାକୁ ନେଇ ଚର୍ଚ୍ଚା ବି ଆରମ୍ଭ ହୋଇଯାଇଛି । ସେ ଯାହା ହେଉ ନା କାହିଁକି, ତେବେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାରେ ଧନଖଡ଼ ପ୍ରଥମ ବ୍ୟକ୍ତି ନୁହଁନ୍ତି, ତାଙ୍କ ପୂର୍ବରୁ ଦୁଇ ଜଣ ଉପରାଷ୍ଟ୍ରପତି ସେମାନଙ୍କ କାର୍ଯ୍ୟକାଳ ଶେଷହେବା ପୂର୍ବରୁ ଓହରିଛନ୍ତି । ସେମାନେ ହେଲେ ଭି.ଭି ଗିରି ଏବଂ ଆର୍ ଭେଙ୍କଟରମଣ । ୧୯୬୭ ମସିହାରେ ଭି.ଭି ଗିରି ଉପରାଷ୍ଟ୍ରପତି ହୋଇଥିଲେ । ୧୯୬୯ ମସିହା ଜୁଲାଇ ୨୦ରେ ପଦରୁ ଇସ୍ତଫା ଦେଇଥିଲେ । ୧୯୬୯ ମେ’ ମାସରେ ତତ୍କାଳୀନ ରାଷ୍ଟ୍ରପତି ଜାକିର ହୁସେନଙ୍କ ପରଲୋକ ହୋଇଥିଲା । ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ଗିରିଙ୍କୁ ଉପରାଷ୍ଟ୍ରପତି ପଦ ଛାଡ଼ିବାକୁ ପଡ଼ିଥିଲା । ୧୯୬୯ ଅଗଷ୍ଟ ୨୦ରେ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ।
ସେହିଭଳି ରାମସ୍ୱାମୀ ଭେଙ୍କଟରମଣ ରାଷ୍ଟ୍ରପତି ହେବା ପାଇଁ ଉପରାଷ୍ଟ୍ରପତି ପଦରୁ ୧୯୮୭ ମସିହାରେ ଇସ୍ତଫା ଦେଇଥିଲେ । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପ୍ରାର୍ଥୀ ପ୍ରତିଭା ପାଟିଲଙ୍କ ବିପକ୍ଷରେ ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ ଉପରାଷ୍ଟ୍ରପତି ଭୈରୋଁ ସିଂହ ଶେଖାୱତ ୨୧ ଜୁଲାଇ ୨୦୦୭ରେ ପଦରୁ ଇସ୍ତଫା ଦେଇଥିଲେ। ଶେଖାୱତଙ୍କ ଇସ୍ତଫା ପରେ, ମହମ୍ମଦ ହମିଦ ଅନସାରୀଙ୍କୁ ଏହି ପଦବୀରେ ନିର୍ବାଚିତ କରାଯିବା ପୂର୍ବରୁ ଉପରାଷ୍ଟ୍ରପତି ପଦବୀ ୨୧ ଦିନ ପାଇଁ ଖାଲି ଥିଲା। ଉପରାଷ୍ଟ୍ରପତି ଆର ଭେଙ୍କଟରମଣ, ଶଙ୍କର ଦୟାଲ ଶର୍ମା ଏବଂ କେ ଆର ନାରାୟଣନ ମଧ୍ୟ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ। କୃଷ୍ଣକାନ୍ତ ଏକମାତ୍ର ଉପରାଷ୍ଟ୍ରପତି ଥିଲେ ଯିଏ କାର୍ଯ୍ୟାଳୟରେ ମୃତ୍ୟୁବରଣ କରିଥିଲେ। ସେ ୨୭ ଜୁଲାଇ, ୨୦୦୨ରେ ଦେହାନ୍ତ ହୋଇଥିଲେ।