ନୂଆଦିଲ୍ଲୀ,୨୨/୦୭: ଫୁଟୁଥିଲା ଗୁଳି, ଆକାଶରୁ ଖସୁଥିଲା ମିସାଇଲ । ନା ଥିଲା ଡ଼ର ନା ଥକିଥିଲା ସେ କୁନି ପାଦ । ଅପରେସନ୍ ସିନ୍ଦୂରରେ କୁନି ଯୋଦ୍ଧା ସାଜିଥିରେ ୧୦ ବର୍ଷୀୟ ଶ୍ରବଣ ସିଂହ । ଭାରତୀୟ ସେନାକୁ ଚା, ଲସି ଓ କ୍ଷୀର ଯୋଗାଇଥିଲା ଚତୁର୍ଥ ଶ୍ରେଣୀରେ ପଢୁଥିବା ଶ୍ରବଣ । ସେନାଙ୍କ ହୃଦୟ ଜିତିଥିବା ଫିରୋଜପୁରର ଶ୍ରବଣକୁ ନେଇ ଏବେ ଚର୍ଚ୍ଚା । ଶ୍ରବଣର ସାହସକୁ ସବୁଠି ତାରିଫ୍ କରାଯାଉଛି । ଶ୍ରବଣକୁ ଏବେ ରିଟର୍ଣ୍ଣ ଗିଫ୍ଟ ଦେଇଛି ସେନା । ଏବେ ଶ୍ରବଣର ପୁରା ପାଠପଢା ଖର୍ଚ୍ଚ ବହନ କରିବ ଭାରତୀୟ ସେନା ।
ପହଲଗାମ୍ ହମଲାର ଜବାବ ଦେଇ ଭାରତୀୟ ସେନା ମେ ୭ରେ ‘ଅପରେସନ୍ ସିନ୍ଦୂର’ ଲଞ୍ଚ କରିଥିଲା । ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କୀ ଠିକଣାକୁ ଟାର୍ଗେଟ୍ କରିଥିଲା । ଏହି ଅପରେସନ୍ ସମୟରେ ନିଜ ଜୀବନକୁ ଭୟ ନକରି ସେନା ବାହିନୀକୁ ଆପ୍ରାଣ ସହଯୋଗ କରିଥିଲା ୧୦ ବର୍ଷୀୟ ଶ୍ରବଣ । ସେନାଙ୍କୁ ଚା, ଲସି ଓ କ୍ଷୀର ଯୋଗାଇଥିଲେ ସେ । ପଞ୍ଜାବ ଫିରୋଜପୁରର ତାରା ୱାଲି ଗାଁର ଶ୍ରବଣ ସିଂହ ଏବେ ଚର୍ଚ୍ଚାରେ ।
ଭାରତୀୟ ସେନାର ପଶ୍ଚିମ କମାଣ୍ଡ ତାଙ୍କର ସଂପୂର୍ଣ୍ଣ ଶିକ୍ଷା ଖର୍ଚ୍ଚ ଉଠାଇବାକୁ ଘୋଷଣା କରିଛି । ଫିରୋଜପୁର କ୍ୟାଣ୍ଟନମେଣ୍ଟରେ ପଶ୍ଚିମ କମାଣ୍ଡର ଜେନେରାଲ୍ ଅଫିସର କମାଣ୍ଡିଙ୍ଗ ଇନ୍ ଚିଫ୍ ଲେଫ୍ଟନାଣ୍ଟ ମନୋଜ କୁମାର କଟିୟାର ଶ୍ରବଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହି ସମୟରେ ଏହି ଘୋଷଣା କରାଯାଇଥିଲା । କଟିୟାର କହିଥିଲେ, ଶ୍ରବଣ ବାସ୍ତବରେ ଜଣେ ହିରୋ । ୟୁନିଫର୍ମରେ ନଥାଇ ସେ ଭାରତୀୟ ସେନାକୁ ଯେଉଁ ସହଯୋଗ ପ୍ରଦାନ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ । ସେଥିଲାଗି ସେନା ତାଙ୍କର ଶିକ୍ଷା ଖର୍ଚ୍ଚ ବହନ କରିବାଲାଗି ନିଷ୍ପତ୍ତି ନେଇଛି । ଗତ ମେ'ରେ ସେନାର ସପ୍ତମ ଇନ୍ଫ୍ୟାଣ୍ଟ୍ରି ଡିଭିଜନ୍ର ଜେନେରାଲ ଅଫିସର କମାଣ୍ଡିଙ୍ଗ ମେଜର ଜେନେରାଲ୍ ରଞ୍ଜିତ୍ ସିଂହ ମନରାଲ ଏକ ଭବ୍ୟ ସମାରୋହରେ ଶ୍ରବଣଙ୍କୁ ସମ୍ମାନିତ କରିଥିଲେ ।
ଭାରତ-ପାକିସ୍ତାନ ସୀମାରେ ରହିଛି ପଞ୍ଜାବର ତାରା ବାଲି ଗାଁ । ଆନ୍ତର୍ଜାତୀୟ ସୀମାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ । ଭାରତ ‘ଅପରେସନ୍ ସିନ୍ଦୂର ଆରମ୍ଭ କରିବା ପରେ ଏହି ଗାଁ ଯୁଦ୍ଧକ୍ଷେତ୍ର ପାଲଟି ଯାଇଥିଲା । କିନ୍ତୁ ସ୍ଥାନୀୟ ଚାଷୀ ସୋନା ସିଂହଙ୍କ ପୁଅ କୁନି ଶ୍ରବଣଙ୍କୁ ଭୟଭୀତ କରାଇ ପାରିନଥିଲା । ଭାରତୀୟ ସେନାର ଯବାନମାନେ ତାଙ୍କ ଚାଷଜମିରେ ଶିବିର ଲଗାଇଥିବାବେଳେ ଶ୍ରବଣ ପ୍ରତିଦିନ ସେମାନଙ୍କ ନିକଟରେ ପାଣି, ଚା’,କ୍ଷୀର, ଲସି ପହଞ୍ଚାଇଥିଲେ । ମୁଁ ଦେଶ ସେବା କରିବାକୁ ଚାହୁଁଛି । ବଡ଼ ହୋଇ ଜଣେ ସୈନିକ ହେବାକୁ ଚାହୁଁଛି ବୋଲି କହିଛନ୍ତି ଶ୍ରବଣ । ଅପରେସନ୍ ସିନ୍ଦୂରର କୁନି ହିରୋ, ଦେଶଭକ୍ତ ଶ୍ରବଣଙ୍କୁ ସଲାମ୍ । ବାସ୍ତବରେ ଶ୍ରବଣ ଜଣେ ରିୟଲ ହିରୋ ।