କଟକ,୨।୧୨ : ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ବିଚିତ୍ରପୁର ପଞ୍ଚାୟତ ସରପଞ୍ଚ ଦେବାଶିଷ ପଣ୍ଡାଙ୍କୁ ହାଇକୋର୍ଟ ଦେଲେ ଅନ୍ତରୀଣ ସୁରକ୍ଷା । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେ ଗିରଫ ହେବେ ନାହିଁ । ଏଥିସହ କେଶ୍ ଡାଏରୀ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିଚିତ୍ରପୁର ପଞ୍ଚାୟତ ସରପଞ୍ଚ ଦେବାଶିଷ ପଣ୍ଡା ନାଁ ରେ ଥାନାରେ ମାମଲା ରୁଜୁ ହୋଇଥିଲା। ଗିରଫଦାରୀ ଭୟ ଏଡାଇବାକୁ ହାଇକୋର୍ଟରେ ସେ ଆଗୁଆ ଜାମିନ ଆବେଦନ କରିଥିଲେ।
ସୂଚନାଯୋଗ୍ୟ ଯେ ବିରଜା ହାଟକୁ ନେଇ ରାସ୍ତାରୋକ ହୋଇଥିଲା। ଏହି ସମୟରେ ଧର୍ମଶାଳା ବିଧାୟକ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରାଯାଇଥିଲା। ଏ ନେଇ ଯାଜପୁର ସଦର ଥାନାରେ ବିଧାୟକଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ପୋଲିସ ତଦନ୍ତ କରି ୧୪ ଜଣଙ୍କୁ ଗିରଫ କରିଛି। ବର୍ତ୍ତମାନ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି।