ମନମୁଣ୍ଡା,୧୭/୦୭: ବୁଧବାର ରାତି ପ୍ରାୟ ୧୦ଟାରେ ବୌଦ୍ଧ ମନମୁଣ୍ଡା ବାଇପାସ ଯୋଗୀପଦର ଛକରେ ଲୁଟେରାଙ୍କ ଆତଙ୍କରାଜ। ୩ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ବାଇକ ଆରୋହୀଙ୍କଠାରୁ ଲୁଟି ନେଲେ ବାଇକ୍ ସହିତ ଟଙ୍କା ଏବଂ ମୋବାଇଲ ଫୋନ୍ । ଏନେଇ ଗୁରୁବାର ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ଏହି ଥାନା କସୁରବନ୍ଧ ପଞ୍ଚାୟତ ସାନଡୁଙ୍ଗୁରିପାଲି ଗାଁର ରଜିତ ରଞ୍ଜନ ମିଶ୍ର ଏବଂ ରାଜ କିଶୋର ଗରିଆ ବୁଧବାର ରାତି ପ୍ରାୟ ୧୦ଟା ହେବ ମନମୁଣ୍ଡା ଗାନ୍ଧି ଛକରୁ ବାଇପାସ ଦେଇ ଘରକୁ ଫେରୁଥିଲେ । ବାଇପାସ୍ ଯୋଗୀପଦର ଛକ ନିକଟରେ ୩ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ବାଇକ ଆରୋହୀଙ୍କୁ ଅଟକାଇଥିଲେ । ମାରଣାସ୍ତ୍ର ଦେଖାଇ ଜୀବନରୁ ମାରି ଦେବାକୁ ଧମକ ଦେଇ ରଜିତ ଠାରୁ ତାଙ୍କ ବାଇକ୍ ଓ ଏକ ଓପୋ ମୋବାଇଲ ଏବଂ ରାଜକିଶୋର ଠାରୁ ନଗଦ ୫୦୦୦ ଟଙ୍କା ଏବଂ ଏକ ଭିଭୋ ମୋବାଇଲ୍ ଲୁଟି ନେଇଥିଲେ। ରଜିତ ଏନେଇ ଗୁରୁବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ସନ୍ଦେହରେ ୨ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିବା ସହ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।