ଭୁବନେଶ୍ୱର,୨୯/୧୨: ଜାଭିୟର ଛକରେ ଘଟିଛି ସିରିଜ୍ ଦୁର୍ଘଟଣା । ପଛକୁ ପଛ କାର୍-ଭ୍ୟାନ୍-ଅଟୋ ମଧ୍ୟରେ ଧକ୍କା । ଫଳରେ ଜଣେ ଶିଶୁଙ୍କ ସହ ୬ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ଚାଳକ କାର୍ ସହିତ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ କାର୍ ଭିତରୁ ଟାଣି ଆଣି ନିସ୍ତୁକ ଛେଚିଥିଲେ । କ୍ଷତିପୂରଣ ଦାବି କରି ରାସ୍ତାରେ ବସିଥିଲେ । ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରି କାର ଚାଳକଙ୍କୁ ନେବା ସମୟରେ ଲୋକେ ଗାଡ଼ି ଆଗରେ ଶୋଇ ପଡିଥିଲେ । ଏହାକୁ ନେଇ ପୁଲିସ ଓ ସ୍ଥାନୀୟ ଲୋକେ ମୁହାଁମୁହିଁ ହୋଇଥିଲେ । ଉଦ୍ଧାର କରିବାକୁ ଯାଇଥିବା ପୁଲିସକୁ ବି ଛାଡିଲେନି । ଠେଲାପେଲା କରି ଘୋସାଡ଼ି ଥିଲେ । ବାଧ୍ୟହୋଇ ପୁଲିସ ମୃଦୁ ଲାଠି ଚାଳନା କରିଥିଲା । ଏଥିପାଇଁ ଦୀର୍ଘ ଦେଢ଼ଘଣ୍ଟା ରାସ୍ତା ଜାମ୍ ହୋଇଥିଲା ।
ସୂଚନା ଅନୁଯାୟୀ, ସନ୍ଧ୍ୟା ସାଢେ ୫ଟାରେ ଜାଭିୟର ଛକରୁ ଏକ କାର ସାଲିଆ ସାହି ହାତିଆଶୁଣୀ ଆଡ଼କୁ ଯାଉଥିଲା । ଜାଭିୟର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ରାସ୍ତା ପାଶ୍ୱର୍ରେ ଥିବା ଟାଟା ମ୍ୟାଜିକ, ପାସେଞ୍ଜର ଅଟୋ ଏବଂ ଗୋଟିଏ ପରିବା ବୋଝେଇ ଡାଲା ଗାଡ଼ିକୁ ଧକ୍କା ଦେଇଥିଲା । ପାସେଞ୍ଜର ଅଟୋରେ ଜଣେ ଛୋଟପିଲା ବସିଥିବା ବେଳେ ତାହା ଓଲଟି ପଡିଥିଲା । ଫଳରେ ପିଲାଟି ଗୁରୁତର ହୋଇଥିଲା । ଅନ୍ୟ ଗାଡ଼ିରେ ଥିବା ଆଉ ୫ ଜଣ ମଧ୍ୟ ଖଣ୍ଡିଆଖାବରା ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଏବଂ ଶିଶୁର ମା’ ଉକ୍ତ ମଦ୍ୟପ କାର୍ ଚାଳକଙ୍କୁ ଘେରି ଯାଇଥିଲେ । ହେଲେ ସେ ଭୟରେ ବାହାରକୁ ଆସିନଥିଲେ । ଖବର ପାଇ ମୈତ୍ରୀ ବିହାର ଓ ପରେ ନୂଆପଲ୍ଲୀ ଥାନା ପିସିଆର୍ ଭ୍ୟାନ ପହଞ୍ଚିଥିଲା । ଥାନା ଅଧିକାରୀ ଆଲୋଚନା କରି ଚାଳକଙ୍କୁ ଲୋକଙ୍କ କବଳରୁ ଛଡ଼ାଇବାକୁ ଉଦ୍ୟମ କରିଥିଲେ । କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଲୋକେ ଶୁଣି ନଥିଲେ । ପୁଲିସ ଏବଂ ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଧସ୍ତାଧସ୍ତି । ପରିସ୍ଥିତି ଅଣାୟତ୍ତ ହେବାରୁ ଆଉ ଏକ ପ୍ଲାଟୁନ୍ ଫୋର୍ସ ପହଞ୍ଚିଥିଲା । ଚାଳକଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି ପିସିଆର ଭ୍ୟାନ ଭିତରେ ବସାଇଥିଲା ପୁଲିସ । ତଥାପି ଲୋକେ କ୍ଷତିପୂରଣ ଦାବି କରି ପିସିଆର୍ ଗାଡ଼ି ସମ୍ମୁଖରେ ବସି ରହିଥିଲେ । ଦୀର୍ଘ ଦେଢ଼ଘଣ୍ଟା ଧରି ପୁଲିସ ଏବଂ ଲୋକଙ୍କ ମଧ୍ୟରେ ଛକାପଞ୍ଝା ଲାଗିଥିଲା । ପୁଲିସ ଦୁର୍ଘଟଣା ଘଟାଇଥିବା କାର୍ ଚାଳକଙ୍କୁ ମୈତ୍ରୀବିହାର ଥାନାକୁ ନେଇଯାଇଥିଲା । ପରେ ପୁଲିସ ପ୍ରତିଶ୍ରୁତି ରକ୍ଷା କରି ଭାଙ୍ଗିଯାଇଥିବା ଅଟୋକୁ ଗ୍ୟାରେଜ ନେଇଥିଲା । ସେଠାରେ ମରାମତି ପାଇଁ କଥାବାର୍ତ୍ତା କରିଥିଲେ । ପୁଲିସ ଏ ସଂକ୍ରାନ୍ତରେ ଗୋଟିଏ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଅଟକ କାର ଚାଳକ ଜଣେ ବ୍ୟବସାୟୀ ବୋଲି ଜଣାପଡ଼ିଛି ।