ମାଲକାନଗିରି, ୨୮/୭: ଦୀର୍ଘ ଦିନ ଧରି ସମଗ୍ର ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିବା ଫଳରେ ଜିଲ୍ଲା ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।ଏହି ବର୍ଷା ଦ୍ୱାରା ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତସ୍ଥ ବା୍ୟାପଡା ଘାଟିରେ ଭୁସ୍ଖଳନ ଘଟି ରାସ୍ତାରେ ଏକ ବିରାଟ ଘାଇ ସୃଷ୍ଟି ହେବା ସହିତ ୧୫ଟି ଗ୍ରାମ କୁ ଯୋଗାଯୋଗ ବିଛନ୍ନ ହୋଇପଡ଼ିଥିଲା। ଜିଲ୍ଲାପାଳ ସଚ୍ଚିନ ପାୱାର ଙ୍କ ନିର୍ଦ୍ଦେଶ କ୍ରମେ ଏହି ଘାଟି ରାସ୍ତାକୁ ଯୁଦ୍ଧ କାଳୀନ ଭିତିରେ ମରାମତି ଆରମ୍ଭ ହୋଇଛି।
ବିଗତ କିଛିଦିନ ପୂର୍ବେ ଜୋର ବର୍ଷା କାରଣରୁ ଏହି ରାସ୍ତା ଧୋଇଯିବା ଓ ପାହଡରୁ ମାଟି ଅତଡା ଖସି ବୟାପଡା, ତୁମ୍ବା ପଦର ଗଙ୍ଗାପଡା, ସୁରୀପଡା, ବଡାଙ୍କିଆଗୁଡା, ଗିରସିଙ୍ଗବେଡା, ଜଲାଗୁଡା, ଟିକରପଡା, ନାରିଙ୍ଗିଝୋଲା, ଆମ୍ବିଳିବେଡା, ଅଙ୍ଗୁରୁଗୁଡା, ଖଜୁରୀଗୁଡା ସମେତ ପ୍ରାୟ ୧୫ରୁ ଅଧିକ ଗାଁ ସମ୍ପୂର୍ଣ ରୂପେ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଥିଲା । ଉକ୍ତ ରାସ୍ତା ଧୋଇହୋଇ ଏକ ବିରାଟକାୟ ଗାତ ହୋଇ ଯାଇ ନାଳ ସୃଷ୍ଟି ହୋଇଛି।
ଫଳରେ ସେହି ନାଳ ଉପରେ ଗ୍ରାମ ବାସୀ ମାନେ ବାଉଁଶ କାଠ ରେ ଅସ୍ଥାୟୀ ପୋଲ ନିର୍ମାଣ କରି ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଥିଲେ । ଏହି ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଲକାନଗିରି-୧ ପକ୍ଷରୁ କରାଯାଇଥିବା ସହ ତୁରନ୍ତ ରାସ୍ତା କାମ କରାଯିବ ଓ ଯାତାୟତରେ ସୁଧାର ଆସିବା ବୋଲି ଜିଲ୍ଲାପାଳ ଶ୍ରୀ ପାୱାର ପ୍ରକାଶ କରିଛନ୍ତି ।