ପୁରୀ,୦୯/୦୬: ଦେବଦଳନ ରଥ ନିର୍ମାଣ ସମୟରେ ଏକ ଗୟଳ ମଝିରୁ ଭାଙ୍ଗିଗଲା । ନିର୍ମାଣକାରୀମାନେ ଗୟଳ ମୋଡ଼ି ରଥରେ ସ୍ଥାପନ କଲା ବେଳେ ୪୦ ଫୁଟିଆ କାଠ ଭାଙ୍ଗିଲା । ନାହାକା ପାଖ ବଡ଼ ଛନ୍ଦା ଗୟଳ ବସିବା ବେଳକୁ ଏଭଳି ସ୍ଥିତି ଉପୁଜିଥିଲା । କରତି ସେବକ ଧଉରା କାଠ ଚିରଟ କଲାପରେ ଏହାକୁ ବିଶ୍ୱକର୍ମା ଚଉପଟ କରି ଗୟଳ ପ୍ରସ୍ତୁତ କରିଥିଲେ । ହେଲେ ରଥରେ ଫିଟିଂ ବେଳକୁ ଉକ୍ତ ଗୟଳଟି ଭାଙ୍ଗିଥିଲା । ପରେ ପୁଣି ଆଉ ଏକ ଗୟଳ ତିଆରି କରାଯାଇ ରଥରେ ସ୍ଥାପନ କରାଯିବାରେ ନିର୍ମାଣ କାର୍ଯ୍ୟ ଆଗେଇଥିଲା । ଏଥିସହ ଦେବଦଳନ ରଥର ଏକ ଚକରେ ଲାଗିଥିବା ବଳା ହୁଗୁଳି ଅଖରେ ଝୁଲୁଥିବା ନଜରକୁ ଆସିଛି ।
ରଥ ପ୍ରସ୍ତୁତ ହେବା ପୂର୍ବରୁ ଚକର ଏଭଳି ସ୍ଥିତି ଯୋଗୁ ରଥ ଟଣା ସମୟରେ ଅଘଟଣର ଆଶଙ୍କା କରାଯାଉଛି । ଏନେଇ ଦେବଦଳନ ରଥର ବିଶ୍ୱକର୍ମା ଦେବ ମହାରଣା କୁହନ୍ତି ଚକ ପ୍ରସ୍ତୁତି ସମୟରେ କାଠ କଞ୍ଚା ଥାଏ । କାଠ ଶୁଖିଯିବାରେ ତୁମ୍ବ ବାହାର ପାଶ୍ୱର୍ରେ ଲାଗିଥିବା ବଳା ହୁଗୁଳି ଯାଏ । ଆଗକୁ ପୁଣି ମଜଭୁତ୍ କରି ବଳା ଲଗାଯିବ । ସେହିଭଳି ଗୟଳ ମୋଡ଼ିବା ବେଳେ କାଠ ଗଣ୍ଠି ପାଖରେ ଭାଙ୍ଗିଥିଲା । ଶୁଖିଲା କାଠକୁ ଗଣ୍ଠି ପଡ଼ିଗଲେ ଗୟଳ ପକାଇବା ସମୟରେ ଭାଙ୍ଗେ । ନିର୍ମାଣ ସମୟରେ ଏସବୁ କିଛି ନୂଆ କଥା ନୁହେଁ । ହେଲେ ରଥ ନିର୍ମାଣ ଶେଷ ପୂର୍ବରୁ ସବୁକୁ ସୁଧାରି ନିଆଯାଏ ।