ନୂଆଦିଲ୍ଲୀ, ୨୬।୮: ରାଜସ୍ଥାନର ଜୈସଲମେର ନିକଟସ୍ଥ ଏକ ଗାଁରେ ମିଳିଛି ଡାଇନୋସର ଜୀବାଶ୍ମର ଅବଶେଷ । ବୈଜ୍ଞାନିକମାନେ ଏହାକୁ ଫାଇଟୋସର୍ ପ୍ରଜାତି ଭାବେ ଚିହ୍ନଟ କରିଛନ୍ତି । ଭାରତରେ ଆବିଷ୍କୃତ ପ୍ରାଗୈତିହାସିକ ଯୁଗର ସରୀସୃପର ଏହା ପ୍ରଥମ ଉତ୍ତମ ରୂପେ ସଂରକ୍ଷିତ ଜୀବାଶ୍ମ ଅବଶେଷ । ଜୀବାଶ୍ମର ଲମ୍ବ ପ୍ରାୟ ୨ ମିଟର । ଜୈସଲମେରଠୁ ହାରାହାରି ୪୫ କିମି ଦୂର ମେଘା ଗାଁର ଏକ ହ୍ରଦ ନିକଟରେ ଖନନ ସମୟରେ ସ୍ଥାନୀୟ ଲୋକେ ଏହାକୁ ଦେଖିଥିଲେ । ଅବଶେଷ ମିଳିବା ପରେ ଗାଁ ଲୋକେ ପ୍ରଥମେ ଜିଲ୍ଲା ପ୍ରଶାସନ ଓ ପ୍ରତ୍ନତାତ୍ତ୍ୱିକ ବିଭାଗକୁ ସୂଚନା ଦେଇଥିଲେ । ଭୂବୈଜ୍ଞାନିକମାନଙ୍କର ଏକ ଟିମ୍ ଅବଶେଷର ଯାଞ୍ଚ କରି ଜାଣିବାକୁ ପାଇଲେ, ଏହା ଜୁରାସିକ୍ ଯୁଗର ଡାଇନୋସର ପ୍ରଜାତି ଫାଇଟୋସର୍ର ଜୀବାଶ୍ମ । ଏକ ଜୀବାଶ୍ମ ଅଣ୍ଡା ସହିତ ଏହି ଅବଶେଷ ମିଳିଛି, ଯାହା ସରୀସୃପ ସମୂହର ବୋଲି ବିଶେଷଜ୍ଞଙ୍କ ବିଶ୍ୱାସ ।
ଯୋଧପୁର ସ୍ଥିତ ଜୟ ନାରାୟଣ ବ୍ୟାସ ବିଶ୍ୱବିଦ୍ୟାଳୟର ଆର୍ଥ ସାଇନ୍ସ ସିଷ୍ଟମର ଡିନ୍ ତଥା ଜୀବାଶ୍ମବିଜ୍ଞାନୀ ପ୍ରଫେସର ଭିଏସ୍ ପରିହାର କହିଛନ୍ତି, ଫାଇଟୋସର କୁମ୍ଭୀର ଭଳି ଦିଶେ । ଏହି ଜୀବାଶ୍ମ ୨୦ କୋଟି ବର୍ଷ ତଳର । ଏଥିରୁ ଜଣାପଡ଼ୁଛି, ଏହା ଏକ ମଧ୍ୟମ ଆକାରଯୁକ୍ତ ଫାଇଟୋସର୍ ଥିଲା, ଯାହା ବୋଧହୁଏ ବଞ୍ଚିବାକୁ ମାଛ ଖାଉଥିଲା । ଫାଇଟୋସର୍ମାନେ ୨୨.୯ କୋଟି ବର୍ଷ ତଳେ ବିଚରଣ କରୁଥିବା କୁହାଯାଏ । ଏମାନେ ପ୍ରାରମ୍ଭିକ ଜୁରାସିକ୍ ଯୁଗର ମଧ୍ୟ ହୋଇପାରନ୍ତି । ୨୦୨୩ରେ ବିହାର-ମଧ୍ୟପ୍ରଦେଶ ସୀମାରେ ଏକ ପ୍ରକାର ଫାଇଟୋସର ଜୀବାଶ୍ମ ଆବିଷ୍କୃତ ହୋଇଥିଲା । କିନ୍ତୁ ବୈଜ୍ଞାନିକଙ୍କ କହିବା ଅନୁସାରେ, ସଦ୍ୟ ଆବିଷ୍କାର ଭାରତରେ ମିଳିଥିବା ପ୍ରଥମ ନିଶ୍ଚିତ ଓ ଉତ୍ତମ ରୂପେ ସଂରକ୍ଷିତ ଅବଶେଷ । ଜୈସଲମେରରେ ଜୀବାଶ୍ମ ଅଧ୍ୟୟନରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ଭୂବିଜ୍ଞାନୀ ଡ. ନାରାୟଣ ଦାସ ଇନାଖିୟା କହିଛନ୍ତି, ପ୍ରାୟ ୧୮ କୋଟି ବର୍ଷ ପୂର୍ବେ ଜୁରାସିକ୍ ଯୁଗରେ ଏହି ଅଞ୍ଚଳରେ ଡାଇନୋସର ବିଚରଣ କରୁଥିଲେ । ଜୈସଲମେର ଏଭଳି ଏକ ସ୍ଥାନ ଯାହାକୁ ଭୂବିଜ୍ଞାନୀମାନେ ଲାଠି ସଂରଚନା କହନ୍ତି ।
ଜୈସଲମେରର ପଶ୍ଚିମରେ ଅବସ୍ଥିତ ଲାଠି ସଂରଚନା ପ୍ରାୟ ୧୦୦ କିମି ଲମ୍ବା ଓ ୪୦ କିମି ଚଉଡ଼ା । ଏ ଅଞ୍ଚଳର ଶିଳା ସଂରଚନା ମଧୁର ଜଳ ଏବଂ ସାମୁଦ୍ରିକ ଜୀବନ ଓ ଜଳୀୟ ପରିବେଶକୁ ଦର୍ଶାଉଛି । ସେଥିପାଇଁ ସଦ୍ୟ ଆବିଷ୍କୃତ ଜୀବାଶ୍ମ ଏକ ଫାଇଟୋସର୍, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ଏ ଅଞ୍ଚଳରେ ଗୋଟିଏ ପାଶ୍ୱର୍ରେ ସମ୍ଭବତଃ ଏକ ନଦୀ ଥିଲା ଏବଂ ଅପର ପାଶ୍ୱର୍ରେ ଏକ ସମୁଦ୍ର ଥିଲା ବୋଲି ଇନାଖିୟା କହିଛନ୍ତି । ଜୈସଲମେରକୁ ଏକ ଭୂ-ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବାର ସମ୍ଭାବନା ବିଷୟରେ ଇନାଖିୟା କହିଛନ୍ତି, ଏଠାରେ ମୂଳ ଜୀବାଶ୍ମ, ସାମୁଦ୍ରିକ ଜୀବାଶ୍ମ ଓ ଡାଇନୋସର ଜୀବାଶ୍ମ ମଧ୍ୟ ଅଛି । ତେଣୁ ବୈଜ୍ଞାନିକ ଅଧ୍ୟୟନ ନିମନ୍ତେ ଏ ସ୍ଥାନର ସଂରକ୍ଷଣ କରାଯିବା ଉଚିତ୍ । ପାକିସ୍ତାନ ସୀମାରେ ଥିବା ଟାନୋଟ୍ ଅଞ୍ଚଳର ନିକଟସ୍ଥ ପୌରାଣିକ ସରସ୍ୱତୀର ଭୂତଳ ଜଳ ଚ୍ୟାନେଲ୍ ମଧ୍ୟ ବଡ଼ ଆକର୍ଷଣ । ଏଗୁଡ଼ିକ ଭୂତଳ ଚ୍ୟାନେଲ୍ କିନ୍ତୁ ଭୂବୈଜ୍ଞାନିକ ଭାବେ କହିଲେ ଏଗୁଡ଼ିକ ଖୁବ୍ ନୂଆ- ବୈଦିକ ଯୁଗଠାରୁ ପ୍ରାୟ ୫ ହଜାରରୁ ୬ହଜାର ବର୍ଷ ପୁରୁଣା ବୋଲି ଇନାଖିୟା କହିଛନ୍ତି ।
ଫାଇଟୋସର ଠିକ୍ କୁମ୍ଭୀର ଭଳି ଦିଶୁଥିଲେ । ସେମାନଙ୍କର ଛୋଟ ଗୋଡ଼, ଚଉଡ଼ା ଓ ଭାରୀ ଶରୀର ସହିତ ପିଠିରେ କଣ୍ଟାଯୁକ୍ତ ଧାଡ଼ି, ଲମ୍ବା ଲାଞ୍ଜ ଏବଂ ଦାନ୍ତଯୁକ୍ତ ଲମ୍ବା ଥୋଡ଼ି ଥିଲା । ମେଘା ଗାଁର ପ୍ରାଚୀନ ହ୍ରଦ ନିକଟରେ ମିଳିଥିବା ଏହି ଅବଶେଷ ଉକ୍ତ ଅଞ୍ଚଳରେ ଆବିଷ୍କୃତ ସମ୍ଭାବ୍ୟ ୫ମ ଡାଇନୋସର ଜୀବାଶ୍ମ । ଅନେକ ବର୍ଷ ଧରି ଜୈସଲମେରରେ ଜୀବାଶ୍ମ ବିଜ୍ଞାନ ସହ ସଂଶ୍ଳିଷ୍ଟ ଅବଶେଷ ମିଳିଛି । ଏଥିମଧ୍ୟରେ ଥିୟାଟରେ ହାଡ଼ର ଜୀବାଶ୍ମ, ଏକ ଡାଇନୋସର ପଦଚିହ୍ନ ଏବଂ ୨୦୨୩ରେ ମିଳିଥିବା ଉତ୍ତମ ରୂପେ ସଂରକ୍ଷିତ ଏକ ଡାଇନୋସର ଅଣ୍ଡା ସାମିଲ ।