ପ୍ରମୂଖ ଖବର
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଆପ୍‌ ବିରୋଧରେ ପୁଣି ସଙ୍ଗୀନ ଅଭିଯୋଗ ଆଣିଲେ ସ୍ବାତୀ ମାଲିଓ୍ବାଲ

Image Courtesy: patrika

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲ ଦଳ ଉପରେ ଆଉ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ତାଙ୍କ ବିରୋଧରେ ମନ୍ତବ୍ୟ ଦେବାକୁ ଦଳୀୟ ନେତାଙ୍କ ଉପରେ ଚାପ ପଡ଼ୁଛି ବୋଲି ମାଲିଓ୍ବାଲ କହିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସ୍ବାତୀ ମାଲିଓ୍ବାଲ ଲେଖିଛନ୍ତି, ଗତକାଲି ଦଳର ଜଣେ ବଡ଼ ନେତାଙ୍କ ପାଖରୁ ଫୋନ୍‌ କଲ ଆସିଥିଲା । ସେ କହିଛନ୍ତି, ମୋ ବିରୋଧରେ ମନ୍ତବ୍ୟ ଦେବାକୁ ନେତାମାନଙ୍କ ଉପରେ ଚାପ ପକାଯାଉଛି ।  ପର୍ସନାଲ ଫଟୋ ଲିକ୍‌ କରି ମୋତେ ଦୁର୍ବଳ କରିବାକୁ ପ୍ରୟାସ କରିବାକୁ କୁହାଯାଇଛି । ଯିଏ ତାଙ୍କୁ (ସ୍ବାତୀ ମାଲିଓ୍ବାଲ) ସମର୍ଥନ କରିବ ତାକୁ ଦଳରୁ ବାହାର କରିଦିଆଯିବ।’ 

 ସେ ଆହୁରି ମଧ୍ୟ କହିଛନ୍ତି ଯେ, କାହାକୁ ପିସି (ପ୍ରେସ୍‌ କନଫରେନ୍ସ) କରିବାକୁ ତ ଆଉ କାହାକୁ ଟ୍ବିଟ୍‌ କରିବାକୁ ଟାସ୍କ ମିଳିଛି । ଅଭିଯୁକ୍ତର କେତେ ଜଣ ସହଯୋଗୀଙ୍କୁ ଷ୍ଟିଙ୍ଗ ଅପରେସନ୍‌ କରି ମିଥ୍ୟା ରିପୋର୍ଟ ଆଣିବାକୁ ଦାୟିତ୍ବ ଦିଆଯାଇଛି ବୋଲି ସ୍ବାତୀ ମାଲିଓ୍ବାଲ କହିଛନ୍ତି । ଏହା ସହ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି ସ୍ବାତୀ ।  ହଜାରେ ସୈନିକ ଛିଡ଼ା କରିଦେଲେ  ମଧ୍ୟ ମୁଁ ଏକାକୀ ଲଢ଼େଇ କରିବି ବୋଲି ସ୍ବାତୀ ମାଲିଓ୍ବାଲ କହିଛନ୍ତି । 

ସେ ଆହୁରି କହିଛନ୍ତି ଯେ, ‘ସତ୍ୟ ମୋ ସାଥିରେ ଅଛି । ଅଭିଯୁକ୍ତ ବହୁତ ଶକ୍ତିଶାଳୀ ଏବଂ ତାକୁ ବଡ଼ ବଡ଼ ନେତା ଭୟ କରୁଛନ୍ତି । ତା ବିରୋଧରେ ଠିଆ ହେବାକୁ କାହା ପାଖରେ ସାହସ ନାହିଁ । ଆଉ ମୁଁ କାହା ପାଖରୁ ଏଭଳି କିଛି ଆଶା ମଧ୍ୟ କରୁନାହିଁ । ମୁଁ ମୋର ସ୍ବାଭିମାନର ଲଢ଼େଇ ଆରମ୍ଭ କରିଛି । ନ୍ୟାୟ ମିଳିବା ଯାଏଁ ଲଢ଼େଇ ଜାରି ରଖିବି । ଏହି ଲଢ଼େଇରେ ମୁଁ ଏକା କିନ୍ତୁ ପରାଜୟ ସ୍ବୀକାର କରିବି ନାହିଁ ।’

ସ୍ବାତୀ ମାଲିଓ୍ବାଲଙ୍କ ଅଭିଯୋଗ ଅନୁସାରେ, ମେ ୧୩ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିବାକୁ ତାଙ୍କ ବାସଭବନକୁ ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ସହଯୋଗୀ ବିଭବ କୁମାର ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ସ୍ବାତୀ ମାଲିଓ୍ବାଲଙ୍କ ଏହି ଅଭିଯୋଗ ପରେ ଦିଲ୍ଲୀ ରାଜନୀତି ସରଗରମ ହୋଇଉଠିଛି । ବିଭବ କୁମାରଙ୍କୁ ପୋଲିସ ଗିରଫ କରିଛି । ଏପରିକି ବିଭବ କୁମାରଙ୍କ ଅଗ୍ରୀମ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି । ଆଉ ଏହାରି ଭିତରେ ଆପ୍‌ ବିରୋଧରେ ନୂଆ ଅଭିଯୋଗ ଆଣିଛନ୍ତି ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ।  

 

  • Arvind Kejriwal
  • delhi
  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.