ସାଲେପୁର,୨୩/୦୯: ଡୁପ୍ଲିକେଟ୍ କ୍ଷୀର କମ୍ପାନୀରେ ଜଗତପୁର ପୋଲିସ ଏବଂ ଫୁଡ୍ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀଙ୍କ ମିଳିତ ଚଢାଉ । ଏହି ଚଢାଉରେ ଫ୍ୟାକ୍ଟ୍ରି ଭିତରୁ ବିପୁଳ ପରିମାଣର ଖାଇବା ସୋଡା, କେମିକାଲ ଏବଂ ମିଲ୍କ ପାଉଡର ଜବତ କରାଯାଇଛି । କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଆତୋଡା ମହାନଦୀ ପଠାରେ ଏହି କମ୍ପାନୀ ଚାଲିଥିଲା ।
ସୂଚନା ମୁତାବକ, ଆତୋଡା ମହାନଦୀ ପଠାରେ ରହିଥିବା କ୍ଷୀର କମ୍ପାନୀରେ ନକଲି କ୍ଷୀର ପ୍ରସ୍ତୁତ କରାଯାଉଥିବା ନେଇ ପୂର୍ବରୁ ଅନେକ ଥର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ଜଗତପୁର ପୋଲିସ ଏବଂ ଫୁଡ୍ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀ ମିଳିତ ଭାବରେ ଉକ୍ତ କମ୍ପନୀରେ ରେଡ୍ କରିଥିଲେ । ସୋମବାରରେ ହୋଇଥିବା ଏହି ରେଡ୍ରେ କମ୍ପାନୀ ଭିତରୁ ବିପୁଳ ପରିମାଣର ଖାଇବା ସୋଡା, କେମିକାଲ ଏବଂ ମିଲ୍କ ପାଉଡର ଜବତ କରାଯାଇଛି । ତେବେ ଏକ କ୍ଷୀର କମ୍ପାନୀରେ ଏସବୁ ସାମଗ୍ରୀ କ'ଣ ପାଇଁ ରହିଛି, ସେନେଇ କମ୍ପାନୀରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲା ପୋଲିସ । ଏହା ସହ ସେଠାରେ ମିଳିଥିବା ନକଲି କ୍ଷୀରର ସାମ୍ପୁଲ ମଧ୍ୟ ପରୀକ୍ଷା କରିବାକୁ ପଠାଇଛି ପୋଲିସ ।