ଚୌଦ୍ୱାର,୨୩/୦୯ : ବିରୂପା ବ୍ୟାରେଜ ନିକଟରେ ସାଇକେଲ ଏବଂ ମୋବାଇଲ ରଖି ନଦୀକୁ ଡେଇଁ ପଡ଼ିଲେ ଯୁବକ । ନଦୀକୁ ଡେଇଁ ଯୁବକ ଜଣକ ନିଖୋଜ ହୋଇଛନ୍ତି । ଯୁବକ ଜଣକ ଚୌଦ୍ୱାର ୧୨ ନମ୍ୱର ୱାର୍ଡର ପ୍ରଦୀପ କୁମାର ଦାସ ଏବଂ ସେ +୩ ବାଣିଜ୍ୟ ଛାତ୍ର ବୋଲି ଜଣପଡ଼ିଛି । କଟକ ଜିଲ୍ଲା ଚୌଦ୍ୱାର ବିରୂପା ବ୍ୟାରେଜ ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ରବିବାର ରାତିରୁ ପ୍ରଦୀପ କେଉଁ ଆଡ଼େ ଚାଲିଯାଇଥିଲେ । ତେବେ ସୋମବାର ସେ ବିରୂପା ବ୍ୟାରେଜ ନିକଟରେ ସାଇକେଲ ଏବଂ ମୋବାଇଲ ରଖି ନଦୀକୁ ଡେଇଁ ପଡିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଜଗତପୁର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ କୌଣସି ପତ୍ତା ମିଳିପାରିନାହିଁ ।