ବଲାଙ୍ଗିର, ୨୩।୫: ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ପାଇଁ ବଲାଙ୍ଗିର ଜିଲ୍ଲାରେ ରବି ଧାନ କିଣା ଆରମ୍ଭ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ବଲାଙ୍ଗିର ଉପଖଣ୍ଡ ଅନ୍ତର୍ଗତ ଭାଲେର ପ୍ରାଥମିକ କୃଷି ସମବାୟ ସମିତି ଲିଃରେ ରବି ଧାନ କିଣାର ଶୁଭାରମ୍ଭ କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଚଳିତ ମେ ମାସ ୨୩ ତାରିଖରୁ ୧୧୨ ଗୋଟି ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ଓ ୧୦ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସମୁଦାୟ ୧୨୨ ଗୋଟି ଧାନ କ୍ରୟ କେନ୍ଦ୍ର ଜରିଆରେ ପଞ୍ଜୀକୃତ ଚାଷୀମାନଙ୍କଠାରୁ ରବି ଧାନ କ୍ରୟ କରାଯିବ ।
ଚଳିତ ବର୍ଷ ରବି ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୧୧, ୬୫୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ସମୁଦାୟ ୨ ଲକ୍ଷ ୫ ହଜାର ୭୮୦ କୁଇଣ୍ଟାଲ ଧାନ କ୍ରୟର ଟାର୍ଗେଟ୍ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ମିଳିଛି । ଝାଙ୍କରପାଲି ପାକ୍ସରେ ଧାନ କିଣା ଶୁଭାରମ୍ଭ କାର୍ଯ୍ୟକ୍ରମ ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ସମବାୟ ସମିତି ଉପ ନିବନ୍ଧକ ପ୍ରମୋଦ ବରିହାଙ୍କ ସମେତ ଯୋଗାଣ, ସମବାୟ, ନିୟନ୍ତ୍ରିତ ବଜାର କମିଟି, ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ)ର ଅଧିକାରୀ ଓ କର୍ମଚାରୀ ଏବଂ ଚାଷୀମାନେ ଉପସ୍ଥିତ ଥିଲେ ।