ନୂଆପଡ଼ା, ୨୦।୫ : ନୂଆପଡ଼ା ଜିଲ୍ଲା ସଦର ବ୍ଳକ ସାରାବଙ୍ଗ ମଣ୍ଡିରେ ରବିଧାନ ସଂଗ୍ରହ ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି। ଆଜି ଠାରୁ ଜିଲ୍ଲାରେ ବିଦ୍ଧିବଦ୍ଧ ଭାବେ ଧାନ ସଂଗ୍ରହ ଆରମ୍ଭ ହୋଇଛି।
ଚଳିତବର୍ଷ ନୂଆପଡ଼ା ଜିଲ୍ଲାରେ ୧୩ ହଜାର ୨୯୬ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି। ଜିଲ୍ଲାର ୩୨ଟି ଧାନସଂଗ୍ରହ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ୫୦ ହଜାର କ୍ଵିଣ୍ଟାଲ ଧାନ କ୍ରୟ ପାଇଁ ନିଷ୍ପତ୍ତି ହୋଇଛି। ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ବ୍ଳକ ଅଧ୍ୟକ୍ଷା ତାରେଶ୍ବରୀ ସାହୁ, ଉପାଧ୍ୟକ୍ଷ ଦିଲୀପ ନିର୍ମଲକର, ଜିଲ୍ଲା ପରିଷଦ ସଭ୍ୟ ଭରତଲାଲ ରାଉତ, ଉମା ଠାକୁର, ସାରାବଙ୍ଗ ସରପଞ୍ଚ ରଥବାଇ ପଟେଲ, ସମିତି ସଭ୍ୟ ଜାଗୃତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।