ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ଆଲାସ୍କା ସମ୍ମିଳନୀ କୌଣସି ଯୁଦ୍ଧବିରତି ଚୁକ୍ତି ବିନା ଶେଷ ହୋଇଛି। ଏହି ଲମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ସାମ୍ନାସାମ୍ନି ହୋଇଥିଲେ। ଯେଉଁଠାରେ ଆମେରିକା ସେନା ପୁଟିନଙ୍କ ପାଇଁ ରେଡ କାର୍ପେଟ ବିଛାଇବା ସହ ନିଜେ ପୁଟିନ ଟ୍ରମ୍ପଙ୍କ ସହ ତାଙ୍କ ଗାଡି ବିଷ୍ଟରେ ସମ୍ମିଳନିା ସ୍ଥଳରେ ପହଞ୍ଚିଥିଲେ। ସେ ପ୍ରଥମେ ପ୍ରେସ ବ୍ରିଫିଂ ଦେଇଥିବା ବେଳେ ପରବର୍ତ୍ତୀ ବୈଠକ ମସ୍କୋରେ ହେବ ବୋଲି ଘୋଷଣା କରିଥିଲେ। ଏହି ବୈଠକରେ ପୁଟିନ ଅତ୍ୟନ୍ତ ସ୍ଥିର ଓ ଆତ୍ମବିଶ୍ୱାସର ସହ ଯୋଗ ଦେଇଥିଲେ।
ସାଧାରଣରେ ଏହି ବୈଠକ ୟୁକ୍ରେନ ଯୁଦ୍ଧକୁ ନେଇ ଡକାଯାଇଥିଲା। ହେଲେ ଏହି ବୈଠକର ଆରମ୍ଭରୁ ଶେଷ ଯାଏ ଯୁଦ୍ଧ ଉପରେ ସେମିତି କିଛି ଆଲୋଚନା ହୋଇନଥିଲା। ଓଲଟା ପୁଟିନ ବାଣିଜ୍ୟ ଓ ଟାରିଫକୁ ନେଇ ଆଲୋଚନା କରିବା ସହ ଭାରତ ତୈଳ କ୍ରୟକାରୀ ଦେଶମାନଙ୍କ ବିଷୟରେ ଆଲୋଚନା କରିଥିଲେ। ପୁଟିନଙ୍କ ଏଭଳି ଅନ୍ଦାଜ ଦେଖି ବଶେଷଜ୍ଞମାନେ ଏହି ବୈଠକ ପୁଟିନଙ୍କ ପାଇଁ ଏକ ଜନସଂପର୍କ (PR) ବିଜୟ ବୋଲି ଘୋଷଣା କରିଛନ୍ତି । ସାରା ବିଶ୍ୱରେ ଏହାକୁ ପୁଟିନଙ୍କ କୂଟନୈତିକ ବିଜୟ ଭାବେ ପରିଗଣିତ କରାଯାଉଛି। କିନ୍ତୁ ଏହା ଭାରତ ପାଇଁ ବାଣିଜ୍ୟ ଏବଂ ଶକ୍ତି ସୁରକ୍ଷା ପ୍ରସଙ୍ଗରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ବୈଠକରୁ ଭାରତକୁ ମିଳିଥିବା ମୁଖ୍ୟ ନିଷ୍କର୍ଷଗୁଡ଼ିକ ହେଉଛି:
୧. କୌଣସି ଯୁଦ୍ଧବିରତି ନାହିଁ, ପୁଟିନଙ୍କ ପ୍ରାଧାନ୍ୟ: ବୈଠକରେ କୌଣସି ଯୁଦ୍ଧବିରତି ଚୁକ୍ତି ହୋଇନଥିଲା। କିନ୍ତୁ ପୁଟିନ ଆମେରିକୀୟ ମାଟିରେ ଥାଇ ମଧ୍ୟ ବୈଠକରେ ନେତୃତ୍ୱ ନେଇଥିଲେ। ସେ ଆମେରିକୀୟ ମିଡ଼ିଆର ପ୍ରଶ୍ନଗୁଡ଼ିକୁ ଏଡ଼ାଇ ଦେଇ ଆନ୍ତର୍ଜାତୀୟ ମଞ୍ଚରେ ନିଜର ପ୍ରଭାବ ବଢ଼ାଇଥିଲେ। ଏହା ରୁଷିଆ ପାଇଁ ଏକ ବୃହତ PR ଜିତ ଭାବେ ଦେଖାଯାଇଛି।
୨. ବାଣିଜ୍ୟ ଏବଂ ଶୁଳ୍କ ସମସ୍ୟା: ଭାରତ ରୁଷିଆରୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ କିଣୁଛି। ଯାହା ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରୁଛି। କିନ୍ତୁ ଆମେରିକା ଭାରତ ଉପରେ ୨୫% ଶୁଳ୍କ ଲଗାଇଛି ଏବଂ ଆଉ ଅତିରିକ୍ତ ୨୫% ଶୁଳ୍କ ଲଗାଇବାର ଆଶଙ୍କା ରହିଛି। ଇଉରୋପୀୟ ସଂଘ ମଧ୍ୟ ଭାରତୀୟ ରିଫାଇନାରୀ ଉପରେ ନିଷେଧାଜ୍ଞା ଲଗାଇଛି। ଭାରତ ଏହା ବିରୁଦ୍ଧରେ ରୁଷିଆ ସହିତ ଇଉରେସୀୟ ଆର୍ଥିକ ସଂଘ (EAEU) ମାଧ୍ୟମରେ ଶୁଳ୍କ ରିହାତି ପାଇଁ ଚେଷ୍ଟା କରୁଛି।
୩. ଶକ୍ତି ସୁରକ୍ଷା ଚିନ୍ତା: ଯୁଦ୍ଧର କୌଣସି ସ୍ପଷ୍ଟ ଅନ୍ତ ନ ଦେଖାଯିବା ଯୋଗୁଁ ଆମେରିକା ଏବଂ ଇଉରୋପୀୟ ସଂଘ ଭାରତୀୟ ରିଫାଇନାରୀ ଏବଂ ବ୍ୟାଙ୍କ ଉପରେ ଅଧିକ କଡ଼ା ନିଷେଧାଜ୍ଞା ଲଗାଇପାରେ। ଯାହା ଭାରତର ଶକ୍ତି ସୁରକ୍ଷାକୁ ପ୍ରଭାବିତ କରିପାରେ।
୪. ଚୀନ ଉପରେ ଶୁଳ୍କ ନାହିଁ: ଟ୍ରମ୍ପ ଫକ୍ସ ନ୍ୟୁଜକୁ କହିଛନ୍ତି ଯେ ସେ ରୁଷିଆରୁ ତୈଳ କିଣୁଥିବା ଚୀନ ଉପରେ ଶୁଳ୍କ ଲଗାଇବେ ନାହିଁ। ଯେତେବେଳେ କି ଭାରତ ଏବଂ ଅନ୍ୟ ଦେଶଗୁଡ଼ିକ ଉପରେ ଶୁଳ୍କ ଲଗାଯାଇଛି। ଏହା ଭାରତ ପାଇଁ ଅନ୍ୟାୟ ମନେ ହୋଇଛି, ଯାହାକୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ "ଅନୁଚିତ, ଅଯୌକ୍ତିକ ଏବଂ ଅନ୍ୟାୟପୂର୍ଣ୍ଣ" ବୋଲି କହିଛି।
୫. ମସ୍କୋରେ ପରବର୍ତ୍ତୀ ବୈଠକ: ପୁଟିନ ଟ୍ରମ୍ପଙ୍କୁ ମସ୍କୋରେ ପରବର୍ତ୍ତୀ ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି। ଯେଉଁଠାରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇପାରେ। ଭାରତ, ଯିଏ ନାଟୋ ଏବଂ ବ୍ରିକ୍ସ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଛି, ଏହି ବୈଠକର ଫଳାଫଳକୁ ନିବିଡ଼ ଭାବେ ନିରୀକ୍ଷଣ କରିବ।
ଆଲାସ୍କା ସମ୍ମିଳନୀ ଭାରତ ପାଇଁ ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ରୁଷିଆ ସହିତ ବାଣିଜ୍ୟ ଜାରି ରଖିବା ଏବଂ ଶକ୍ତି ସୁରକ୍ଷା ନିଶ୍ଚିତ କରିବା ପାଇଁ ଭାରତକୁ ପଶ୍ଚିମ ଦେଶଗୁଡ଼ିକ ଏବଂ ବିଶ୍ୱର ଅନ୍ୟ ଅଂଶ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ। ମସ୍କୋରେ ପରବର୍ତ୍ତୀ ବୈଠକର ଫଳାଫଳ ଭାରତର କୂଟନୈତିକ ଏବଂ ଅର୍ଥନୈତିକ ନୀତି ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ ବୋଲି ଅନୁମାନ କରାଯାଉଛି।