ନୂଆଦୀଲ୍ଲୀ, ୧୬।୮: ପାକିସ୍ତାନରେ ପ୍ରବଳ ମୌସୁମୀ ବର୍ଷା ଲାଗି ରହିଛି । ସେଠାକାର ବିପର୍ଯ୍ୟୟ ପରିଚାଳନା ସଂସ୍ଥା କହିଛି ଯେ, ମାତ୍ର ୨୪ ଘଣ୍ଟା ମଧ୍ୟରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ବର୍ଷା ଯୋଗୁଁ ବନ୍ୟା, ଭୂସ୍ଖଳନ ଏବଂ ଘର ଭାଙ୍ଗିବା ଯୋଗୁଁ ଏତେ ସଂଖ୍ୟକ ମୃତ୍ୟୁ ଘଟିଛି । ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଖାଇବର ପଖତୁନଖ୍ୱା ପ୍ରଦେଶ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । କେବଳ ବୁନେର ଜିଲ୍ଲାରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।
ବନ୍ୟା ଯୋଗୁଁ କିଛି ଗାଁ ସମ୍ପୂର୍ଣ୍ଣ ବୁଡ଼ିଯାଇଛି । ରାସ୍ତା ଏବଂ ପୋଲ ଭାଙ୍ଗି ଯାଇଛି । ସ୍ୱାତ ଏବଂ ବାଜୌର ଭଳି ଅଞ୍ଚଳରେ ମଧ୍ୟ ପରିସ୍ଥିତି ଖରାପ । ସେଠାକାର ଉଦ୍ଧାରକାରୀ ଦଳ ହେଲିକପ୍ଟରରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଖରାପ ପାଗ ଯୋଗୁଁ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । କହିରଖୁ କି, ଜୁନ୍ ଶେଷରୁ ପାକିସ୍ତାନରେ ମୌସୁମୀ ଆରମ୍ଭ ହୋଇଥିଲା ଏବଂ ଏପର୍ଯ୍ୟନ୍ତ ମୋଟ୍ ମୃତ୍ୟୁ ସଂଖ୍ୟା ୫୦୦ ଅତିକ୍ରମ କରିସାରିଲାଣି ।
ଅନ୍ୟପଟେ ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି । ସ୍ୱାତରେ ୨ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । କିନ୍ତୁ, ରାସ୍ତା ବନ୍ଦ ଥିବାରୁ ସାହାଯ୍ୟ ଯୋଗାଇବା କଷ୍ଟକର ହେଉଛି । ସ୍ଥାନୀୟ ଲୋକମାନେ ମଧ୍ୟ ପରସ୍ପରକୁ ସାହାଯ୍ୟ କରୁଛନ୍ତି । ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି, ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ । ୨୦୨୨ ମସିହାରେ ମଧ୍ୟ ପାକିସ୍ତାନରେ ସମାନ ବନ୍ୟା ଆସିଥିଲା, ଯେଉଁଥିରେ ୧୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।