ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲାସ୍କାରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏବେ ଭାରତର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ,"ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଶିଖର ବୈଠକକୁ ଭାରତ ସ୍ୱାଗତ କରୁଛି । ଶାନ୍ତି ପ୍ରତି ତାଙ୍କର ନେତୃତ୍ୱ ଅତ୍ୟନ୍ତ ପ୍ରଶଂସନୀୟ।"
ଜୟସୱାଲ କହିଛନ୍ତି କି, ଭାରତ ଶିଖର ସମ୍ମିଳନୀରେ ହୋଇଥିବା ପ୍ରଗତିକୁ ପ୍ରଶଂସା କରେ। ଆଗକୁ ବଢ଼ିବାର ପଥ କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ହିଁ ମିଳିପାରିବ । ସାରା ବିଶ୍ୱ ୟୁକ୍ରେନରେ ଚାଲିଥିବା ସଂଘର୍ଷର ଶୀଘ୍ର ଅନ୍ତ ଦେଖିବାକୁ ଚାହୁଁଛି ।
ଆଲାସ୍କାରେ ପୁଟିନଙ୍କୁ ସାକ୍ଷାତ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ କରିବାର ସର୍ବୋତ୍ତମ ଉପାୟ ହେଉଛି ସିଧାସଳଖ ଏକ ଶାନ୍ତି ଚୁକ୍ତିରେ ପ୍ରବେଶ କରିବା । ଯୁଦ୍ଧବିରତି ଚୁକ୍ତିରେ ଅଟକିବା ନୁହେଁ।"
ଟ୍ରମ୍ପଙ୍କ ଏହି ବିବୃତ୍ତି ଆଶ୍ଚର୍ଯ୍ୟଜନକ । କାରଣ ଆଲାସ୍କାରେ ଟ୍ରମ୍ପଙ୍କୁ ପ୍ରଥମେ ଯୁଦ୍ଧବିରତି ଏବଂ ପରେ ଶାନ୍ତି ଚୁକ୍ତି ବିଷୟରେ କଥାବାର୍ତ୍ତା କରୁଥିବା ଦେଖାଯାଇଥିଲା, କିନ୍ତୁ ଏବେ ସେ ସିଧାସଳଖ ଶାନ୍ତି ଚୁକ୍ତିର ପ୍ରସଙ୍ଗକୁ ପ୍ରାଥମିକତା ଭାବରେ ଉଠାଇବା ଦେଖାଯାଉଛି। ଟ୍ରମ୍ପଙ୍କ ବିବୃତ୍ତି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରୁଛି।