ପୁରୀ, ୨୫/୦୧: ସ୍ୱର୍ଗଦ୍ୱାରରେ ବଢ଼ୁଛି ଶବ ସଂଖ୍ୟା । ପ୍ରତିମାସର ପ୍ରାୟ ୧୫ ଦିନ ୧୦୦ରୁ ଅଧିକ ଲେଖାଏଁ ଶବ ପୋଡ଼ା ଯାଉଛି । ଶବ ସଂଖ୍ୟା ବଢ଼ୁଥିବା ବେଳେ ସୀମିତ ପିଣ୍ଡିକୁ ବାଣ୍ଟି ଯୋଗାଇ ଦେବା ଏବେ ପରିଚାଳନା ସଂସ୍ଥା ସ୍ୱର୍ଗଦ୍ୱାର ସମିତି ପାଖରେ ସମସ୍ୟା ହୋଇ ଉଭା ହେଲାଣି । ମାତ୍ର ପ୍ରଶାସନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱର୍ଗଦ୍ୱାରରେ ପିଣ୍ଡି ସଂଖ୍ୟା ବଢ଼ାଇବା ନିମନ୍ତେ ପଦକ୍ଷେପ ନନେଇ ଚୁପ୍ ବସିଛି । ସେହିପରି ସ୍ୱର୍ଗଦ୍ୱାରକୁ ଆଗନ୍ତୁକଙ୍କ ଗାଡ଼ି ସଂଖ୍ୟା ବଢ଼ୁଥିବା ବେଳେ ଛୋଟିଆ ପାର୍କିଂରେ ସ୍ଥାନ ଅଣ୍ଟୁନି । ଶବ ନେଇ ଆସୁଥିବା ହାଲୁକା ଗାଡ଼ିଗୁଡ଼ିକ ରଖିବା ନିମନ୍ତେ ସ୍ୱର୍ଗଦ୍ୱାରରେ ଆବଶ୍ୟକ ସ୍ଥାନ ନାହିଁ । ରାସ୍ତାରେ ଗାଡ଼ି ରହିବା ଯୋଗୁ ଟ୍ରାଫିକ୍ ଜାମ୍ ହେଉଛି । ସନ୍ଧ୍ୟା ପରେ ଯାତ୍ରୀ ଗାଡ଼ି ଓ ଶବ ନେଇ ଆସୁଥିବା ଗାଡ଼ି ସଂଖ୍ୟା ବଢ଼ୁଥିବାରୁ ସ୍ୱର୍ଗଦ୍ୱାର ସମ୍ମୁଖ ରାସ୍ତା ଜାମ୍ ହୋଇଯାଉଛି । ମାତ୍ର ଏଠାରେ ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ନା ଟ୍ରାଫିକ୍ କର୍ମଚାରୀଙ୍କୁ ମୁତୟନ କରାଯାଉଛି ନା ଏହାର ସ୍ଥାୟୀ ସମାଧାନ ପ୍ରତି ଦୃଷ୍ଟି ଦିଆଯାଉଛି । ଏହି ୩ ପ୍ରମୁଖ ସମସ୍ୟା ସମାଧାନ କରିବା ଜରୁରୀ ହୋଇପଡ଼ିଛି । ମାତ୍ର ପ୍ରଶାସନ ଏଥିପ୍ରତି ମୁହଁ ମୋଡ଼ିବା ଏବେ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।
ସେପଟେ ସ୍ୱର୍ଗଦ୍ୱାରରେ ସିସିଟିଭି ଅଚଳ ହୋଇଯାଇଥିବାରୁ ନିଶାଖୋର ଓ ଅସାମାଜିକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ସ୍ୱର୍ଗଦ୍ୱାରରେ ଜଳୁଥିବା ନିଆଁ ତାତି ସାଙ୍ଗକୁ ଲୁଣି ପାଣି ମାଡ଼ରେ ସିସିଟିଭି ଶୀଘ୍ର ନଷ୍ଟ ହୋଇଯାଉଥିବା ଅଭିଯୋଗ ହେଉଛି । ସ୍ୱର୍ଗଦ୍ୱାର ଭିତର ଶବ ପୋଡ଼ା ଯାଉଥିବା ପିଣ୍ଡି ସାଙ୍ଗକୁ ଅନ୍ୟ ଅଞ୍ଚଳରେ ସିସିଟିଭି ଖରାପ ହୋଇଥିବା ଯୋଗୁ ଅସାମାଜିକ କାର୍ଯ୍ୟ ବଢ଼ୁଥିବା ନେଇ ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ୩୨ଟି ୨ ମେଗାପିକ୍ସେଲ ବୁଲେଟ କ୍ୟାମେରା ଥିବା ସିସିଟିଭି ସହ ବ୍ୟବସ୍ଥାକୁ ନବୀକରଣ କରିବାକୁ ପଦକ୍ଷେପ ନିଆଯାଇଛି ।
ସେହିପରି ଦିଗବାରିଣୀ ଛକଠାରୁ ଯାତ୍ରୀକା ମଧ୍ୟରେ କୌଣସି ଶୌଚାଳୟ ନଥିବାରୁ ମହିଳା ଓ ପୁରୁଷ ଯାତ୍ରୀମାନେ ସ୍ୱର୍ଗଦ୍ୱାରରେ ଥିବା ଶୌଚାଳୟକୁ ବ୍ୟବହାର କରୁଛନ୍ତି । ଫଳରେ ସୀମିତ ଲୋକବଳରେ ସ୍ୱର୍ଗଦ୍ୱାର ଶୌଚାଳୟକୁ ପରିଷ୍କାର ରଖିବା ଏବେ ଚ୍ୟାଲେଞ୍ଜ ହୋଇଛି । ଆବଶ୍ୟକ ଲୋକବଳ ନଥିବାରୁ ଏହି ଶୌଚାଳୟ ଅନେକ ସମୟରେ ଅପରିଷ୍କାର ହୋଇପଡ଼ୁଛି । ଯାହାକୁ ନେଇ ସ୍ୱର୍ଗଦ୍ୱାରକୁ ଆସୁଥିବା ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ମାତ୍ର ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ପ୍ରତିକାର ହୋଇପାରିଲାନାହିଁ । ସ୍ୱର୍ଗଦ୍ୱାରରେ ଥିବା ମୌଳିକ ସମସ୍ୟା ସମାଧାନ କରିବାକୁ ସାମାଜିକ କର୍ମୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।