ପୁରୀ,୨୭/୧୨ : ଉଜୁଡ଼ିଗଲା ସୁନାର ଫସଲ । କଟା ଧାନ ବିଲରେ ପଡ଼ି ଗଜା ହୋଇଗଲା । ଅଦିନିଆ ବର୍ଷା ପବନ ମାଡ଼ରେ ମୁହଁମାଡ଼ି ପଡ଼ିଥିବା ଧାନ କେଣ୍ଡା ମଧ୍ୟ ଗଜା ହୋଇଛି। ଚାଷ ଜମିରେ ଏଭଳି ସ୍ଥିତି ଦେଖି ଚାଷୀଙ୍କ ହଁସା ଉଡ଼ୁଛି। ସେପେଟ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଆଇ ଏଷ୍ଟିମେଟ୍ ରିପୋର୍ଟ ବା ଆଖିଦେଖା ଫସଲ କ୍ଷତି ଆକଳନ ରିପୋର୍ଟ ସରକାରଙ୍କ ନିକଟକୁ ଗୁରୁବାର ପଠାଯାଇଛି । ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ସରକାର ଯାହା ନିର୍ଦ୍ଦେଶ ଦେବେ ସେହି ଅନୁଯାୟୀ ଚାଷୀ ସହାୟତା ପାଇବେ ବୋଲି ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ଦାଶ କହିଛନ୍ତି ।
୨୧ ତାରିଖରୁ ଜିଲ୍ଲାରେ ଲାଗି ରହିଥିବା ବର୍ଷା ଯୋଗୁ ପ୍ରାୟ ୫୦ ପ୍ରତିଶତରୁ ଅଧିକ ଧାନ ଫସଲ ନଷ୍ଟ ହୋଇଥିବା ଆକଳନ କରାଯାଉଛି । ବିଲରେ ଚାଖଣ୍ଡେରୁ ଚାରି ଆଙ୍ଗୁଳୁ ପର୍ଯ୍ୟନ୍ତ ପାଣି ଠିଆ ହୋଇଛି । ଏହି ପାଣି ଭିତରେ ଧାନ ପଡ଼ି ନଷ୍ଟ ହେଉଥିବା ଦେଖି ଚାଷୀ ଦେହ ସହୁନି । ଏକକାଳୀନ ବିପତ୍ତି ପଡ଼ିଥିବାରୁ କୃଷି ଶ୍ରମିକଙ୍କ ଅଭାବ ଦେଖା ଦେଇଛି । କୃଷି ଶ୍ରମିକଙ୍କ ସହାୟତା ନେଇ ପାଣିରୁ ଧାନକୁ କାଢ଼ି ସୁରକ୍ଷିତ ସ୍ଥାନକୁ ନେବାକୁ ଚାଷୀ ବାଟ ଖୋଜିଲେ ବି ପାଉନି । ଚାଷୀ ଏକଲା ହୋଇଯାଇଛି । ଚାଷ କ୍ଷତି ଦେଖି ବିଲରେ ମୁଣ୍ଡରେ ହାତ ଦେଇ ବସିଛି । ଅଧିକାଂଶ ଚାଷୀ ଋଣ କରି ଫସଲ କରିଥିବାରୁ ଋଣ ପରିଶୋଧ ଚିନ୍ତାରେ ପଡ଼ିଛନ୍ତି । ଏହାଛଡ଼ା ପରିବାରର ବର୍ଷକ ଦାନା ପାଣି କିପରି ଆଗକୁ ଯୋଗାଡ଼ ହେବ ଓ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ଆସିବ ସେନେଇ ଚାଷୀ ମୁଣ୍ଡରେ ଚିନ୍ତା ପଶି ଯାଇଛି । ୨୧ ଓ ୨୨ ତାରିଖ ଝିପି ବର୍ଷା ପର ଦିନ ଚାଷୀ ବିଲରେ କାଟିଥିବା ଧାନକୁ ଏକାଠି କରି ଗଦା କରିଥିଲା। ହେଲେ ୨୪ ଓ ୨୫ ତାରିଖରେ ପୁଣି ଅବିଶ୍ରାନ୍ତ ବର୍ଷା ଯୋଗୁ କଟା ହୋଇଥିବା ବିଲରେ ପଡ଼ିଥିବା ଧାନ ଉପରେ ପାଣି ମାଡ଼ି ଯାଇଥିଲା । ଧାନ ଗଦା ବା ବୋରୋଇ ଭିତରେ ମଧ୍ୟ ପାଣି ଜମି ଯାଇଥିଲା । ଏହି ଧାନ ଏବେ ଗଜା ମାରିବାରେ ଲାଗିଛି । ପ୍ରତ୍ୟେକ ଚାଷୀ ନିଜ ବିଲରୁ ଧାନକୁ କିପରି ଉଦ୍ଧାର କରିବେ ସେହି ଚେଷ୍ଟାରେ ଅଛନ୍ତି । ଖିଆପିଆ ଛାଡି ବିଲରୁ ପାଣି ବୋହିବା ଓ ହିଡ କାଟି ପାଣି ନିଷ୍କାସନ କରିବାରେ ଲାଗିଛନ୍ତି ।
ଯେଉଁମାନେ ଚଳିତ ଖରିଫ ଧାନ ବିଳମ୍ବରେ ରୋଇଥିଲେ ସେମାନଙ୍କ ଧାନ ଜମିରେ ଠିଆ ହୋଇଥିବାରୁ ସେମାନଙ୍କୁ ବିଶେଷ କ୍ଷତି ସହିବାକୁ ପଡ଼ିବନି । ଚଳିତ ବର୍ଷ ଖରିଫ୍ରେ ପ୍ରାୟ ୧ ଲକ୍ଷ ୫୧ ହଜାର ହେକ୍ଟର ଜମିରେ ଧାନ ଚାଷ ହେଉଛି । ପ୍ରାୟ ୫୦ ପ୍ରତିଶତ ଜମିରେ ଧାନ ଅମଳ ହୋଇନି । ଜିଲ୍ଳାରେ ପ୍ରାୟ ୨ ଲକ୍ଷ ୨୦ ହଜାରରୁ ଅଧିକ ଚାଷୀ ରହିଛନ୍ତି । ୨୦୨୪-୨୫ ଖରିଫ ଧାନ ସଂଗ୍ରହ ଜାନୁଆରୀ ୭ ତାରିଖରୁ ଶୁଭାରମ୍ଭ ହେବାକୁ ଯୋଜନା ଥିଲା । ଜିଲ୍ଲାରେ ଚଳିତ ମାସରେ ପ୍ରାୟ ୮୬୦ ଏମ୍ଏମ୍ ବର୍ଷା ହୋଇଛି । ତେଣୁ ଧାନ ଅମଳ ବେଳକୁ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡରେ ପାହାର ପକାଇଛି । ଚାଷୀ ଏବେ ଆର୍ଥିକ ମେରୁଦଣ୍ଡ ସଳଖିବାକୁ ସରକାର କ୍ଷତିପୂରଣକୁ ଚାହିଁ ବସିଛନ୍ତି । ଜିଲ୍ଲାରେ ୩୭,୯୦୮ ହେକ୍ଟର ଧାନ ଫସଲ ନଷ୍ଟ । ୨୩ରେ ଆସିବ ମିଳିତ ସର୍ଭେ ରିପୋର୍ଟ । ରାଜସ୍ୱ, କୃଷି ଓ ବୀମା କର୍ମଚାରୀ କରୁଛନ୍ତି ମିଳିତ ସର୍ଭେ ।