ଢେଙ୍କାନାଳ,୨୭/୧୨ : ବର୍ଷ ଯାକ ପରିଶ୍ରମର ଫଳ ଏବେ ଅମଳ କରି ଘରକୁ ଆଣିଥାନ୍ତୁ । ଅଦିନିଆ ବର୍ଷା ସବୁ ଉଜାଡ଼ି ଦେଲା । ବିଲକୁ ଗଲେ ପାଣି କାଦୁଅରେ ପଡ଼ି ରହିଥିବା ଅମଳକ୍ଷମ ଧାନକୁ ଦେଖି ଛାତି ଫାଟି ଯାଉଛି । ଢେଙ୍କାନାଳ ସହର ଉପକଣ୍ଠର ଚାଷୀ ଚୈତନ୍ୟ ଦାସଙ୍କର ଏ ହେଉଛି କୋହଭରା କଥା । କେବଳ ଚୈତନ୍ୟ ନୁହଁନ୍ତି, ଜିଲ୍ଲାର ହଜାର ହଜାର ଚାଷୀଙ୍କର କ୍ଷେତକୁ ଦେଖିଲେ ଅଖି ଛଳଛଳ ହୋଇଯାଉଛି । ଚାଷୀ ମୁଣ୍ଡରେ ଚଡ଼କ ପକାଇଛି ପୌଷ ମାସର ବର୍ଷା । ଜିଲ୍ଲାରେ ପ୍ରାୟ ୪୫ ହଜାର ହେକ୍ଟର ଜମିରେ ଧାନ ଫସଲ ଲଘୁଚାପ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି । ସେଥିରୁ କଟା ହୋଇ ପଡ଼ିଥିବା ୧୦ ହଜାର ହେକ୍ଟର ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇସାରିଥିବା ଅଭିଯୋଗ ହୋଇଛି । ପାଣିରେ ଭିଜିଥିବା କଳେଇ ଉଠାଇଲେ ଧାନ ସବୁ ଝଡ଼ି ପାଣି କାଦୁଅରେ ପଡ଼ୁଛି । ଚାଷୀ ଏବେ ଅମଳ ଆଶା ଛାଡ଼ି ଋଣ ସୁଝିବା ଚିନ୍ତାରେ ପଡ଼ିଛି ।
ଲଗାତାର ଦୁଇଟି ଅଦିନିଆ ଲଘୁଚାପ ବର୍ଷା ଧାନ ଫସଲକୁ ନଷ୍ଟଭ୍ରଷ୍ଟ କରିଦେଇଛି । ଗତ ୨୦ ତାରିଖରୁ ଲଘୁଚାପ ବର୍ଷା ଆରମ୍ଭ ହେବା ବେଳକୁ ଜିଲ୍ଲାରେ ପ୍ରାୟ ଅଧା ଜମିରୁ ଧାନ ଅମଳ ସରିଥିଲା । କୃଷି ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ଜିଲ୍ଲାରେ ୯୩ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ସେଥିରୁ ଅଧା ଅମଳ ସରିଥିବା ବେଳେ ଆହୁରି ୪୫ ହଜାର ହେକ୍ଟର ଜମିରେ ଅମଳ ଚାଲିଥିଲା । ଏଥିମଧ୍ୟରୁ ପ୍ରାୟ ୧୦ ହଜାର ହେକ୍ଟର ଜମିରେ ଚାଷୀ ଧାନ କାଟି ପକାଇଥିଲେ । ବୋହି ଖଳାକୁ ଆଣିବା ପୂର୍ବରୁ ବର୍ଷା ଆରମ୍ଭ ହୋଇଯାଇଥିଲା । ପ୍ରଥମ ବର୍ଷା ଛାଡ଼ିବା ବେଳକୁ ପୁଣି ୨୩ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇଯାଇଥିଲା । ୨୫ ତାରିଖ ପର୍ଯ୍ୟନ୍ତ ବର୍ଷିଥିଲା ।
ସେହିଭଳି ଏଫଏକ୍ୟୁ ମାନର ହୋଇନଥିଲେ ଧାନ କିଣାଯିବ ନାହିଁ ବୋଲି ମନ୍ତ୍ରୀ କହିବା ପରେ ଚାଷୀ ୩୧୦୦ ଟଙ୍କାରେ ପାଇବା ଆଶା ବି ଛାଡ଼ି ଦେଲେଣି । ଚାଷୀ ଏବେ କିଭଳି ଋଣ ସୁଝିବେ ଚିନ୍ତାରେ ପଡ଼ିଲେଣି । ଜିଲ୍ଲା ପ୍ରଶାସନ ପକ୍ଷରୁ କୃଷି, ଉଦ୍ୟାନ କୃଷି ଅଧିକାରୀ ଓ ରାଜସ୍ୱ ନିରୀକ୍ଷକଙ୍କୁ ନେଇ କ୍ଷୟକ୍ଷତି ଆକଳନ କରାଯାଉଥିବା କୁହାଯାଉଥିଲେ ହେଁ, ତାହା ଅତି ଧିମାଗତିରେ ଚାଲିଥିବା ଅଭିଯୋଗ ହେଉଛି । ବର୍ଷା ଜନିତ ଫସଲ କ୍ଷୟକ୍ଷତି ରିପୋର୍ଟ ୩୦ ତାରିଖ ସୁଦ୍ଧା ଦେବାକୁ କୁହାଯାଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଦିପ୍ତ କୁମାର ସାହୁ କହିଛନ୍ତି ।