ଆନନ୍ଦପୁର,୦୯/୧୧: ଆନନ୍ଦପୁର ଅଞ୍ଚଳରେ ଜନନୀ ଯନ୍ତ୍ରଣା । ଗର୍ଭବତୀ ଖଟିଆରେ ବୁହା ହେବାର ଦୃଶ୍ୟ ପୁଣି ଥରେ ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ନଥିବାରୁ ପଇତାପାଣି ସୁକୁରା ସାହିର ଶିବ ହୋଙ୍କ ପତ୍ନୀ ଗାଙ୍ଗୀ ଖଟିଆରେ ବୁହା ହୋଇ ଆନନ୍ଦପୁର ଡାକ୍ତରଖାନା ଯାଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ କଣ୍ଟିପାଳ ପଞ୍ଚାୟତ ପଇତାପାଣି ସୁକୁରା ସାହିରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶିବ ହୋଙ୍କ ପତ୍ନୀ ଗାଙ୍ଗୀ ଗର୍ଭବତୀ ଥିଲେ । ଶୁକ୍ରବାର ଗାଙ୍ଗୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ସ୍ୱାମୀ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ । ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ସୁକୁରା ସାହି ଠାରୁ ୧କିଲୋମିଟର ଦୂର ମାଝି ସାହି ନିକଟରେ ରହିଥିଲା । ପରେ ମହିଳାଙ୍କ ପରିବାର ଏବଂ ସାହିଲୋକେ ମିଳିମିଶି ଗର୍ଭବତୀ ଗାଙ୍ଗୀଙ୍କୁ ଏକ ଖଟିଆରେ ବୋହି ନେଇଥିଲେ । ଖଟିଆରେ ବୋହି ବିଲ ହିଡ ରାସ୍ତାରେ ଆଣି ଆମ୍ବୁଲାନ୍ସ ନିକଟରେ ଛାଡି ଥିଲେ । ଆମ୍ୱୁଲାନ୍ସ ଯୋଗେ ଯାଇ ମହିଳା ଜଣକ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଗାଙ୍ଗୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ମା ଓ ଶିଶୁ ଉଭୟ ସୁସ୍ଥ ଥିବା ଜଣାପଡିଛି । ତେବେ ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀ କିମ୍ୱା ହଠାତ୍ କାହାର ଦେହ ଖରାପ ହେଲେ ଲୋକେ ନିୟମିତ ଭାବେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି । ତେଣୁ ତୁରନ୍ତ ରାସ୍ତା ନିର୍ମାଣ କରିବା ପାଇଁ ଗାଁଲୋକେ ଦାବି କରିଛନ୍ତି ।