ପାଟଣା,୧୩/୧୧: ତୁରୁମୁଙ୍ଗା ବଜାରରେ ବିଳମ୍ବିତ ରାତିରେ ୩ ଟି ଦୋକାନରୁ ତାଲାଭାଙ୍ଗି ଚୋରି ହୋଇଛି । ବଜାରରେ ଥିବା ଏକ ଓମଫେଡ ପାର୍ଲରର ତାଲା ଭାଙ୍ଗି କ୍ଷୀର, ଦହି ଚୋରି କରିବା ସହ ରାବିଡ଼ି ଓ ଲସିକୁ ଚୋରମାନେ ଖାଇ ଦେଇଥିବା ଅଭିଯୋଗ ହୋଇଛି । ଏହିପରି ଆଉ ଦୁଇଟି ଦୋକାନରୁ ମଧ୍ୟ ଚୋରି ହୋଇଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାରରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ମଙ୍ଗଳବାର ବିଳମ୍ୱିତ ରାତିରେ ତୁରୁମୁଙ୍ଗା ବଜାରରେ ଚୋରି କରିବାକୁ ଆସିଥିଲେ ଚୋର । ପ୍ରଥମେ ବଜାରରେ ଥିବା ଏକ ଓମଫେଡ୍ ପାର୍ଲରର ତାଲା ଭାଙ୍ଗିଥିଲେ । ଦୋକାନ ଭିତରେ ପଶି ଦହି, କ୍ଷୀର, ରାବିଡ଼ି ଏବଂ ଲସି ଇତ୍ୟାଦି ଦେଖିଥିଲ । ଏସବୁ ଦେଖି ତାଙ୍କୁ ଭିଷଣ ଭୋକ ହୋଇଥିଲା । ଭୋକ ସମ୍ଭାଳି ନପାରି ରାବିଡ଼ି ଏବଂ ଲସି ଖାଇଥିଲେ ଚୋର । ପରେ ଦୋକାନରେ ଥିବା ଟଙ୍କା ବାସ୍କରୁ ଚୋରି କରି ଯିବା ବେଳେ କ୍ଷୀର ଏବଂ ଦହି ଚୋରି କରି ଘଟଣାସ୍ଥଳରୁ ଫୋରାର ହୋଇଥିଲେ । ବୁଧବାର ସକାଳୁ ଦୋକାନ ମାଲିକ ଗଗନ ସାହୁ ଦୋକାନ ଖୋଲିବାକୁ ଆସିଥିଲେ । ଦୋକାନକୁ ଆସି ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ପରେ ଦୋକାନ ଭିତରକୁ ଯାଇ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ତେବେ ଉକ୍ତ ଓମଫେଡ ଦୋକାନ ପାଖରେ ଥିବା ଏକ ଚା ଦୋକାନ ଏବଂ ସାର ଦୋକାନରୁ ମଧ୍ୟ ସମାନ ଢଙ୍ଗରେ ତାଲା ଭାଙ୍ଗି ଚୋରି ହୋଇଥିବା ଜଣାପଡିଛି ।