ନୂଆଦିଲ୍ଲୀ,୦୧/୧୧: ଦୀପାବଳି ପରେ ଚିନ୍ତା ବଢାଇଛି ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି । ସକାଳୁ ସକାଳୁ ଦେଶର ରାଜଧାନୀର ବିଭିନ୍ନ ସ୍ଥାନ ବିଷାକ୍ତ ବାୟୁରେ ଛାଇ ହୋଇ ରହିଛି । ଦିଲ୍ଲୀ-ଏନସିଆର୍ ଆକାଶ ଧୂଆଁ ଧୂଆଁ ହୋଇଯାଇଛି । ବାୟୁର ଗୁଣବତା ବିପଦଜନକ ସ୍ତରକୁ ଖସିଯାଇଛି । ଲୋକଙ୍କ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ସୃଷ୍ଟି ହୋଇଛି । ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ମୁତାବକ ଶୁକ୍ରବାର ସକାଳେ ଇଣ୍ଡିଆ ଗେଟ ସମେତ ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ ୪୦୦ ନିକଟତର ହୋଇଛି । ଗୁରୁବାର ଦିପାବଳୀ ପାଳନ ପରେ ବିଭିନ୍ନ ସ୍ଥାନର ଏକ୍ୟୁଆଇ ଖରାପ ଶ୍ରେଣୀରୁ ଅତି ଖରାପ ଶ୍ରେଣୀକୁ ଯାଇଥିବା ବେଳେ ଏହାକୁ ନେଇ ପରିବେଶବିତଙ୍କର ଚିନ୍ତା ବଢିଛି ।
ତେବେ ଦିଲ୍ଲୀରେ ୮ଟି ମନିଟରିଂ ଷ୍ଟେସନ୍ ତଥା ନିରୀକ୍ଷଣ କେନ୍ଦ୍ର ରେଡ୍ ଜୋନ୍ରେ ଅଛି ।ପ୍ରଦୁଷଣ ନିୟମ ଉଲ୍ଲଂଘନ ପାଇଁ ଟ୍ରାଫିକ ପୁଲିସ ଗତ ଏକ ମାସ ମଧ୍ୟରେ ୪୭ କୋଟି ଟଙ୍କା ଜରିମାନା କରିଛି । ଟ୍ରାଫିକ ପୁଲିସ ଡ୍ରାଇଭରମାନଙ୍କ ଉପରେ ୪୭ ହଜାର ଚାଲାଣ କାଟିଛି । ବାୟୁର ମାନ ଯେପରି ଅଧିକ ନବିଗିଡେ ସେଥିପ୍ରତି ନଜର ରଖାଯାଇଛି । ଦୀପାବଳିରେ ବାଣ ଫୁଟାଇବା ମନା ଥିବା ବେଳେ ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଥିଲା । ନିୟମକୁ କଡ଼ାକଡ଼ି ପାଳନ ପାଇଁ ବିଭିନ୍ନ ମହଲରେ ଦାବି ମଧ୍ୟ ହୋଇଛି । ତେବେ ଦିପାବଳୀ ପୂର୍ବରୁ ସ୍କାଇମେଟ୍ ଓ୍ବେଦର ସର୍ଭିସେସର ମହେଶ ପଲାଭତ ସମାଚାର ଏଜେନ୍ସି ପିଟିଆଇକୁ ସୂଚନା ଦେଇ କହିଥିଲେ ଯେ, ଦୀପାବଳିରେ ରାଜଧାନୀରେ ପ୍ରଦୂଷଣ ମାତ୍ର ଆହୁରି ବଢ଼ିଯିବାର ସମ୍ଭାବନା ରହିଛି, କାରଣ ପବନର ଦିଗ ଦକ୍ଷିଣ-ଦକ୍ଷିଣପୂର୍ବରୁ ଉତ୍ତର-ପଶ୍ଚିମ ଦିଗରେ ବହିବା ଆରମ୍ଭ କଲାଣି । ଯାହା ଫଳରେ ପାଞ୍ଜାବ ଏବଂ ହରିୟଣାର ଚାଷୀମାନେ କ୍ଷେତରେ ଯେଇଁ ନଡା ଜଳାଉଛନ୍ତି, ସେଥିରୁ ବାହାରୁଥିବା ଧୁଆଁ ଦିଲ୍ଲୀ- ଏନସିଆର ଭିତରକୁ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ରାଜଧାନୀରେ ବାୟୁ ଗୁଣବତା ଆହୁରି ନିମ୍ନ ସ୍ତରକୁ ଚାଲିଯିବ ବୋଲି କୁହାଯାଇଥିଲା ।