ନୂଆଦିଲ୍ଲୀ,୨୬/୦୪: ଦେଶର ୪୭ଟି ସ୍ଥାନରେ ୧୫ତମ ରୋଜଗାର ମେଳା ଅନୁଷ୍ଠିତ ହୋଇଛି । ଏଥିରେ ୫୧ ହଜାର ନିବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ସରକାରର ବିଭିନ୍ନ ବିଭାଗରେ ନିଯୁକ୍ତି ମିଳିଛି । ଏହା ସହିତ ଆଭାସୀ ଜରିଆରେ ନବନିଯୁକ୍ତଙ୍କୁ ସମ୍ବୋଧନ କରିଛନ୍ତି ।
ରୋଜଗାର ମେଳାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, '' ଆଜିଠୁ ତୁମର ନୂଆ ଦାୟିତ୍ୱ ଆରମ୍ଭ ହେଉଛି । ତୁମର ଦାୟିତ୍ୱ ଦେଶର ଆର୍ଥିକ ସ୍ଥିତି, ସୁରକ୍ଷାକୁ ମଜବୁତ କରିବ । ତୁମେ କାର୍ଯ୍ୟକୁ ଯେତେ ସଚ୍ଚୋଟତାର ସହ କରିବ ସେତେ ସକାରତ୍ମକ ପ୍ରଭାବ ବିକଶିତ ଭାରତ ଯାତ୍ରାରେ ଦେଖିବାକୁ ମିଳିବ । ମୋର ବିଶ୍ୱାସ ଅଛି ତୁମେମାନେ ନିଷ୍ଠାର ସହ ଦାୟିତ୍ୱ ତୁଲାଇବ । କୌଣସି ରାଷ୍ଟ୍ରର ପ୍ରଗତି ଓ ସଫଳତାର ମୂଳଦୁଆ ତାର ଯୁବଗୋଷ୍ଠୀଙ୍କ ଭାଗିଦାରୀ ସହିତ ହୋଇଥାଏ । ଆମ ପାଖରେ କେତେ ସାମର୍ଥ୍ୟ ଅଛି ଭାରତର ଯୁବଗୋଷ୍ଠୀ ପରିଶ୍ରମ ବଳରେ ଦୁନିଆକୁ ପ୍ରମାଣ ଦେଇଛନ୍ତି ।
ଅଧିକ ପଢନ୍ତୁ...ପାକିସ୍ତାନକୁ ୨ ଭାଗ କର, PoKକୁ ଭାରତ ସହ ମିଶାଯାଉ; ପିଏମ୍ଙ୍କୁ ରେବନ୍ତଙ୍କ ଅପିଲ୍
ଏହି କ୍ଷେତ୍ରରେ ବଢୁଛି ମହିଳାଙ୍କ ଭାଗିଦାରୀ- ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି, ସବୁ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢୁଛି । ଚଳିତବର୍ଷ ୟୁପିଏସସି ପରୀକ୍ଷାରେ ଶୀର୍ଷରେ ୫ରେ ୩ଜଣ ମହିଳା ରହିଛନ୍ତି । ୯୦ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ୧୦ କୋଟିରୁ ଅଧିକ ମହିଳା କାମ କରୁଛନ୍ତି । ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଅଡିଓ ଭିଜୁଆର ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀରେ ଯୁବଗୋଷ୍ଠୀଙ୍କ ପାଇଁ ବୈଶ୍ୱିକ ମଞ୍ଚରେ କୌଶଳ ଓ ଦକ୍ଷତା ପ୍ରଦର୍ଶନ କରିବାକୁ ବଡ଼ ଅବସର ହେବ ।
କହି ରଖୁଛୁ କି, ୨୦୨୨ ଅକ୍ଟୋବରରେ ରୋଜଗାର ମେଳା ଆରମ୍ଭ ହୋଇଛି । ସେବେଠୁ କେନ୍ଦ୍ର ସରକାର ୧୦ ଲକ୍ଷରୁ ଅଧିକ ନିଯୁକ୍ତପତ୍ର ବାଣ୍ଟିଛନ୍ତି । ଶେଷ ରୋଜଗାର ମେଳାରେ ପାଖାପାଖି ୭୧ ହଜାର ନିଯୁକ୍ତପତ୍ର ପ୍ରଦାନ କରାଯାଇଥିଲା ।