ନୂଆଦିଲ୍ଲୀ,୨।୧୦: ପଡୋଶୀ ଦେଶ ପାକିସ୍ତାନରେ ସେନା ନିଜର ନାଗରିକଙ୍କ ଉପରେ ଅତ୍ୟାଚାର କରୁଛି। ଏପରିକି ପାକିସ୍ତାନ ସେନା ସ୍ଥାନୀୟ ନାଗରିକଙ୍କୁ ଅପହରଣ କରି ନେଉଥିବାର ଅଭିଯୋଗ ରହିଛି। ଏହାକୁ ନେଇ ବେଲୁଚିସ୍ତାନରେ ବ୍ୟାପକ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ପ୍ରଦର୍ଶନରେ ଲୋକେ ନିଜ ନିଖୋଜ ପରିବାର ଲୋକଙ୍କୁ ଫେରାଇବା ପାଇଁ ଦାବି କରିଛନ୍ତି ଓ ସେନା ଦ୍ବାରା ହେଉଥିବା ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି।
ବେଲୁଚିସ୍ତାନର ମୁଖ୍ୟ ସହର ପାଜଙ୍ଗୁର, ଖରାନ ଓ ପସନିରେ ହଜାର ହଜାର ଲୋକ ରାସ୍ତା ଉପରକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିଲେ। ପାଜଙ୍ଗୁରରେ ଦୁଇ ଭାଇଙ୍କୁ ଫେରାଇବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ସବୀର ନୁର ଓ ଆବିଦ ନୁରଙ୍କୁ ସୋମବାର ପାକିସ୍ତାନ ସେନା କଥିତ ଭାବରେ ଅପହରଣ କରି ନେଇଥିବା ଅଭିଯୋଗ ରହିଛି। ଦୁଇ ଭାଇଙ୍କର କୌଣସି ଖବର ନମିଳିବା ପରେ ସ୍ଥାନୀୟ ଲୋକ ଚୀନ୍-ପାକିସ୍ତାନ ଇକୋନୋମିକ୍ କରିଡରର ରାସ୍ତାକୁ ଜାମ୍ କରିଦେଇଛନ୍ତି। ଏଥିରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି, ଯେଉଁମାନେ କି ସେନା ବିରୋଧରେ ନାରାବାଜି କରିଛନ୍ତି ଓ ନିଜ ଲୋକଙ୍କୁ ଫେରାଇବାକୁ ଦାବି କରିଛନ୍ତି। ଏହି ବିରୋଧ ପୁରା ଅଞ୍ଚଳରେ ଯାତାୟତ ଠପ୍ କରିଦେଇଛି।