ଦୁବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ର ଏମିରେଟ୍ସ କ୍ରିକେଟ୍ ବୋର୍ଡ (ECB) ପାକିସ୍ତାନ ସୁପର ଲିଗ୍ (PSL) ୨୦୨୫ ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ କରିବା ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ଏହି ନିଷ୍ପତ୍ତି ପଛରେ ମୁଖ୍ୟ କାରଣ ହେଉଛି ସୁରକ୍ଷା ଆଶଙ୍କା ଏବଂ ECB ପାକିସ୍ତାନ କ୍ରିକେଟ୍ ବୋର୍ଡର ସହଯୋଗୀ ଭାବେ ପରିଗଣିତ ହେବାର ଭୟ।
ପାକିସ୍ତାନରେ ଚାଲିଥିବା ପିଏସଏଲ ର ଶେଷ ୮ଟି ମ୍ୟାଚ୍ ରାୱଲପିଣ୍ଡି, ମୁଲତାନ ଓ ଲାହୋରରେ ଖେଳାଯିବାର ଥିଲା। ହେଳେ ଭାରତ ସହ ଉତ୍ତେଜନା ବୃଦ୍ଧି ପରେ ସୁରକ୍ଷା କାରଣରୁ UAE କୁ ସ୍ଥାନାନ୍ତରିତ କରିବାକୁ ପିସିବି ଘୋଷଣା କରିଥିଲା। ଗୁରୁବାର ଦିନ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଭାରତର ଡ୍ରୋନ ଆକ୍ରମଣ ପରେ ପେଶାୱାର ଜାଲମି ଓ କରାଚୀ କିଙ୍ଗ୍ସ ମଧ୍ୟରେ ଏକ ମ୍ୟାଚ୍ ବାତିଲ ହୋଇଥିଲା। ପିସିବି ଅଧ୍ୟକ୍ଷ ତଥା ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି ଏହି ଆକ୍ରମଣକୁ “କ୍ରୁର” ବୋଲି ଅଭିହିତ କରି କହିଥିଲେ ଯେ ଏହା ପିଏସଏଲ କୁ ବ୍ୟାଘାତ କରିବାକୁ ଉଦ୍ଦିଷ୍ଟ ଥିଲା।
ତେବେ, ପାକିସ୍ତାନର ଅନୁରୋଧକୁ ଇସିବି ପ୍ରତ୍ୟାଖ୍ୟାନ କରିଛି। କାରଣ ସେମାନେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ସହିତ ନିକଟ ସମ୍ପର୍କ ବଜାୟ ରଖିଛନ୍ତି। ଇସିବି ପୂର୍ବରୁ ୨୦୨୧ ରେ ICC T20 ବିଶ୍ୱକପର ‘ଭାରତ’ ସଂସ୍କରଣ, IPL ର କେତେକ ସଂସ୍କରଣ ଏବଂ ୨୦୨୫ ICC ଚାମ୍ପିୟନ୍ସ ଟ୍ରଫିରେ ଭାରତର ମ୍ୟାଚ୍ ଆୟୋଜନ କରିଛି। ଏହାଛଡା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ର ମୁଖ୍ୟାଳୟ ମଧ୍ୟ ଦୁବାଇରେ ଅବସ୍ଥିତ। ଯାହାର ନେତୃତ୍ୱ ବର୍ତ୍ତମାନ ପୂର୍ବତନ BCCIର ସଚିବ ଜୟ ଶାହ କରୁଛନ୍ତି। ଏଣୁ ଇସିବି ଏହାକୁ ନେଇ କୌଣସି ବିବାଦ ଚାହୁଁ ନାହିଁ ବୋଲି ଜଣା ପଡିଛି।
ଏନେଇ ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, “UAE ରେ ବିଭିନ୍ନ ଦକ୍ଷିଣ ଏସୀୟ ଜନସଂଖ୍ୟା ରହୁଛନ୍ତି। ଯେଉଁମାନେ କ୍ରିକେଟ୍ ପସନ୍ଦ କରନ୍ତି। ଏପରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ପିଏସଏଲ ଆୟୋଜନ ସାମାଜିକ ସମ୍ପ୍ରୀତିକୁ ବିନଷ୍ଟ କରିପାରେ। ଏବଂ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଅନାବଶ୍ୟକ ସଂଘର୍ଷ ସୃଷ୍ଟି ହୋଇପାରେ। ଏଣୁ ଏଥିରୁ ଇସିବି ଦୁରେଇ ରହିବାକୁ ଚାହୁଁଛି।”
ଏହି ଘଟଣା ପାକିସ୍ତାନ କ୍ରିକେଟ୍ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। PCB ବର୍ତ୍ତମାନ PSL ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ ପାଇଁ ଅନ୍ୟ ବିକଳ୍ପ ଖୋଜୁଛି, କିନ୍ତୁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଜଣାପଡୁଛି।
ଏହା ପୂର୍ବରୁ ଏପ୍ରିଲ ୨୨ ରେ ପାହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା, ଯାହା ପରେ ଭାରତ ‘ଅପରେସନ ସିନ୍ଦୁର’ ଅଧୀନରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଅବସ୍ଥାନ ଉପରେ ମିସାଇଲ ଆକ୍ରମଣ କରିଥିଲା। ଏହାର ପ୍ରତିଶୋଧରେ ପାକିସ୍ତାନ ଭାରତୀୟ ସୀମାନ୍ତ ଅଞ୍ଚଳରେ ଡ୍ରୋନ ଓ ମିସାଇଲ ଆକ୍ରମଣ କରିଥିଲା।
ସାମାଜିକ ଗଣମାଧ୍ୟମରେ ଏହି ନିଷ୍ପତ୍ତିକୁ ପାକିସ୍ତାନ ପାଇଁ “ବିଶ୍ୱସ୍ତରୀୟ ଅପମାନ” ବୋଲି ବର୍ଣ୍ଣନା କରାଯାଇଛି, କାରଣ PCB ଅନୁମୋଦନ ବିନା ପୂର୍ବରୁ UAE କୁ ଭେନ୍ୟୁ ଭାବେ ଘୋଷଣା କରିଥିଲା।