ନୂଆଦିଲ୍ଲୀ: ନିକଟରେ ନିଜର ବାୟୁସେନାକୁ ଶକ୍ତିଶାଳୀ କରିବା ପାଇଁ ପାକିସ୍ତାନ ଚାଇନାଠୁ ଜେ-୩୫ ଫାଇଟର ଜେଟ କିଣିବ ବୋଲି ଘୋଷଣା କରିଛି। ଚାଇନାର ଏହି ଜେ-୩୫ ଜେଟ ପଞ୍ଚମ ପିଢିର ଜେଟ ହୋଇଥିବା ବେଳେ ଏହାକୁ ସାଧାରଣତଃ ଏଫସି-୩୧ ଜିରଫାଲକନ ବୋଲି କୁହାଯାଇଥାଏ। ଏହା ପଞ୍ଚମ ପିଢିର ଜେଟ ହୋଇଥିବାରୁ ଅନ୍ୟ ଜେଟ ଗୁଡିକ ଅପେକ୍ଷା ଏଥିରେ ଅନେକ ବୈଶିଷ୍ଟ୍ୟ ରହିଛି। ନିକଟରେ ହୋଇଥିବା ଜୁହାଇ ଏୟାର ଶୋ ରେ ପ୍ରଥମ ଥର ପାଇଁ ଏହାର ଝଲକ ଦେଖିବାକୁ ମିଳିଥିଲା। ଆମେରିକାର ଏଫ-୩୫ ସହ ଜେ-୩୫ ସମାନ ବୋଲି ଚାଇନା ଦାବି କରୁଥିବା ବେଳେ ଏନେଇ କୈଣସି ବିଶେଷ ପ୍ରମାଣ ମିଳିପାରି ନାହିଁ।
ଋଷିଆର ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ପାକିସ୍ତାନ ଚାଇନାଠୁ ଜେ-୩୫ ଜାହାଜ କିଣିବ ବୋଲି ପ୍ରକାଶ ପାଇଛି। ସମସ୍ତ ଫାଇଟର ଜେଟ ଗୁଡିକୁ ୨୪ ମାସ ଭିତରେ ଚାଇନା ପାକିସ୍ଥାନକୁ ଯୋଗେଇବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ପାକିସ୍ତାନ ତରଫରୁ ଏନେଇ କୌଣସି ଆଧିକାରିକ ସ୍ତରରେ ବୟାନ ଦିଆଯାଇ ନାହିଁ। ତେବେ ପାକିସ୍ତାନ ବାୟୁସେନା ଚାଇନା ସହ ଜେ-୩୫ କ୍ରୟ ନେଇ ଆଲୋଚନା କରୁଥିବା କଥା ସ୍ପଷ୍ଟ କରିସାରିଛି।
ମିଳିଥିବା ଖବର ଅନୁସାରେ ପାକିସ୍ତାନି ବାୟୁସେନାର ପାଇଲଟ ମାନେ ଚାଇନା ଯାଇ ସେଠାରେ ଯୁଦ୍ଧବିମାନର ବୈଷୟିକ ଜ୍ଞାନକୈଶଳ ଓ ବୈଶିଷ୍ଟ୍ୟ ଉପରେ ତାଲିମ ନେଉଛନ୍ତି। ଭାରତ ନିଜ ସୀମାରେ ବଢାଉଥିବା ବୈଷୟିକ ଜ୍ଞାନ କୈଶଳ ବିରୁଦ୍ଧରେ ପାକିସ୍ଥାନ ଏଭଳି ପଦକ୍ଷେପ ଗ୍ରହଣ କରିଛି।
ପାକିସ୍ତାନ ବାୟୁସେନାରେ ଜେ-୩୫ ସାମିଲ ହେବା ଦ୍ୱାରା ପାକିସ୍ତାନର ସାମରିକ ବଳରେ ବୃଦ୍ଧି ଘଟିବ। ଏହା ଏକ ପଞ୍ଚମ ପିଢିର ଲଢ଼ୁଆ ଯୁଦ୍ଧ ବିମାନ ହୋଇଥିବାରୁ ଏଥିରେ ଷ୍ଟେଲ୍ଥ ଟେକ୍ନୋଲୋଜି ରହିଛି। ଯାହା ଫଳରେ ଏହା ସହଜରେ ଶତ୍ରୁପକ୍ଷର ରାଡାରରେ ଦେଖାଯାଇ ନଥାଏ। ଅନ୍ୟପଟେ ପାକିସ୍ତାନର ଆର୍ଥନୈତିକ ସ୍ଥିତି ଏବେ ଖରାପ ଥିବାରୁ ପାକିସ୍ତାନ କିପରି ପଞ୍ଚମ ପିଢିର ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ କରିବ ସେନେଇ ପ୍ରଶ୍ନ ଉଠୁଛି।
ଜେ-୩୫ର ଷ୍ଟିଲ୍ଥ ଟେକ୍ନୋଲୋଜି ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହା ସହଜରେ ରାଡାରରେ ଧରାପଡୁ ନଥିବାରୁ ପାକିସ୍ଥାନ ଭାରତ ସୀମା ମଧ୍ୟକୁ ପଶିଆସିବାର ସମ୍ଭାବନା ରହିଛି। ଅନ୍ୟପଟେ ଭାରତୀୟ ସେନା ବାହିନିରେ ଏଯାଏ କୌଣସି ପଞ୍ଚମ ପିଢିର ଫାଇଟର ଜେଟ ନାହିଁ। ଭାରତ ନିଜ ସେନା ବାହିନି ପାଇଁ ଏକ ପଞ୍ଚମ ପିଢିର ଫାଇଟର ଜେଟ ନିର୍ମାଣ କରୁଛି। ଯାହାର ନାମ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ(ଏଏମସିଏ) ରହିଛି।