ନୂଆଦିଲ୍ଲୀ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରି ପହଲଗାମରେ ହୋଇଥିବା ଆତଙ୍କୀ ହମଲାର କଡ଼ା ନିନ୍ଦା କରିଛନ୍ତି। ରାଷ୍ଟ୍ରପତି ପୁଟିନ ଏହି ହମଲାରେ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁରେ ସମ୍ୱେଦନା ବ୍ୟକ୍ତ କରି କହିଛନ୍ତି କି, ଆତଙ୍କବାଦ ବିରୋଧରେ ଭାରତର ଲଢେଇରେ ରୁଷ୍ର ପୂରା ସମର୍ଥନ ଅଛି। ଏହାସହ ସେ ଏହି କଥା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ ,ଏହି ଭୀରୁତାପୂର୍ଣ୍ଣ ହମଲାର ଅଭିଯୁକ୍ତଙ୍କୁ ଓ ତାଙ୍କର ସମର୍ଥକଙ୍କୁ ଖୁବ୍ କଡ଼ା ଦଣ୍ଡ ମିଳିବା ଉଚିତ୍।
ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜାୟସୱାଲ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା ବିଷୟରେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟରେ ଲେଖିଛନ୍ତି, ରାଷ୍ଟ୍ରପତି ପୁଟିନ ପିଏମ ମୋଦିଙ୍କୁ ଫୋନ୍ କରି ପହଲଗାମରେ ହୋଇଥିବା ଆତଙ୍କୀ ହମଲାର କଡ଼ା ନିନ୍ଦା କରିଛନ୍ତି। ସେ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁରେ ନିଜର ସମ୍ୱେଦନା ବ୍ୟକ୍ତ କରିଛନ୍ତି ଏବଂ ଆତଙ୍କବାଦ ବିରୋଧରେ ଲଢେଇରେ ଭାରତକୁ ପୂରା ସମର୍ଥନ ଦେବା କଥା କହିଛନ୍ତି। ଏହା ବ୍ୟତୀତ ସେ ଏହି କଥା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ , ଆତଙ୍କବାଦୀଙ୍କୁ ଓ ତାଙ୍କର ସମର୍ଥକଙ୍କୁ କଠିନରୁ କଠିନ ଦଣ୍ଡ ମିଳିବା ଉତିତ୍।
ରୁଷ୍ର ରାଷ୍ଟ୍ରପତି ପୁଟିନଙ୍କର ଏହି ଫୋନ୍ ଏମିତି ସମୟରେ ଆସିଛି,ଯେବେ ଗତ ମାସରେ ୨୨ ଅପ୍ରେଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେବେଠାରୁ ଭାରତ ଓ ପାକିସ୍ତାନର ସମ୍ୱନ୍ଧ ଲଗାତାର ବିଗିଡ଼ିବାରେ ଲାଗିଛି।
ଜାୟସୱାଲ ଲେଖିଛନ୍ତି ,ପହଲଗାମ ହମଲାକୁ ନେଇ କଥାବାର୍ତ୍ତା ବ୍ୟତୀତ ଉଭୟ ନେତାମାନେ ଭାରତ-ରୁଷ୍ର ବିଶେଷ ସମ୍ୱନ୍ଧ ଓ ଉତ୍ତମ ରଣନୀତିକ ସମ୍ୱନ୍ଧକୁ ଆହୁରି ଭଲ ଭାବେ ମଜବୁତ କରିବାକୁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ବର୍ଷର ଶେଷରେ ହେବାକୁ ଥିବା ଶିଖର ସମ୍ମିଳନୀରେ ଭାରତ ଆସିବାକୁ ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି ଏବଂ ଏହାସହ ତାଙ୍କୁ ବିଜୟ ଦିବସ ପରେଡ୍ ପାଇଁ ମଧ୍ୟ ଶୁଭକାମନା ଜଣାଇଛନ୍ତି।
ଜୟସୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ରୁଷ୍ର ବିଜୟ ଦିବସର ୮୦ତମ ବାର୍ଷିକୀ ଅବସରରେ ରାଷ୍ଟ୍ରପତି ପୁଟିନଙ୍କୁ ଶୁଭକାମନା ଦେଇଛନ୍ତି ଏବଂ ତାଙ୍କୁ ଚଳିତ ବର୍ଷର ଶେଷରେ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀରେ ସାମିଲ ହେବାକୁ ଭାରତ ନିମନ୍ତ୍ରଣ କରିଛନ୍ତି।