ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଏ ଏବଂ ଆତଙ୍କବାଦର ପୃଷ୍ଠପୋଷକ । ଏହି ସତ୍ୟକୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ନିଜେ ସ୍ବୀକାର କରିଛନ୍ତି। ପାକିସ୍ତାନର ସତ ଏବେ ସାରା ବିଶ୍ୱ ସମ୍ମୁଖକୁ ଆସିଛି। ପ୍ରତିରକ୍ଷା ମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ସମର୍ଥନ ଏବଂ ପାଣ୍ଠି ପ୍ରଦାନ କରେ।
ସୂଚନାଥାଉକି, ବର୍ତମାନ ସମୟରେ ସୋସିଆଲ ମିଡିଆରେ ଏକ କ୍ଲିପ୍ ସାମ୍ନାକୁ ଆସିଛି ଯେଉଁଥିରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏକ ବିଦେଶୀ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଉଛନ୍ତି। ଏହି ସମୟରେ, ମହିଳା ସାମ୍ବାଦିକା ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କୁ ପଚାରିଥିଲେ ଯେ, ସେ କ'ଣ ସ୍ୱୀକାର କରନ୍ତି ଯେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ସମର୍ଥନ, ତାଲିମ ଏବଂ ପାଣ୍ଠି ଯୋଗାଇବାର ଏକ ଦୀର୍ଘ ଇତିହାସ ଅଛି।
ଏହା ଉପରେ ଖୱାଜା ଆସିଫ୍ ଉତ୍ତର ଦେଇଥିଲେ ଯେ, ଆମେ ପ୍ରାୟ ତିରିଶ ବର୍ଷ ଧରି ଆମେରିକା ପାଇଁ ଏହି ଘୃଣ୍ୟ କାମ କରିଆସୁଛୁ । ଆମେ ବ୍ରିଟେନ ସମେତ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ମାନଙ୍କ ପାଇଁ ଏହା କରୁଛୁ। ଏହା ଏକ ଭୁଲ ଥିଲା। ଏଥିପାଇଁ ଆମକୁ କଷ୍ଟ ସହିବାକୁ ପଡିଛି। ସେଥିପାଇଁ ତୁମେ ମାନେ ମୋତେ ଏହା କରିବାକୁ କହୁଛ। ଯଦି ଆମେ ସୋଭିଏତ୍ ୟୁନିଅନ୍ ବିରୁଦ୍ଧରେ ଯୁଦ୍ଧ ଏବଂ 9/11 ପରେ ଯୁଦ୍ଧରେ ଅଂଶଗ୍ରହଣ କରିନଥାନ୍ତୁ, ତେବେ ପାକିସ୍ତାନର ଟ୍ରାକ୍ ରେକର୍ଡ ସଫା ହୋଇଥାନ୍ତା। ସାକ୍ଷାତକାରରେ ଖଓ୍ବାଜା ସ୍ପଷ୍ଟ କରିଥିଲେ ଯେ ଆମେ ଭାରତ ସହିତ ଯୁଦ୍ଧ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପାକିସ୍ତାନୀ ନେତା ଗୋଟିଏ ଦିନ ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ ଯେ ଯଦି ଭାରତ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରେ, ତେବେ ଆମେ ଉଚିତ ଜବାବ ଦେବୁ। ଆମେ ଉତ୍ତର ଦେବାକୁ ସମ୍ପୂର୍ଣ୍ଣ ସକ୍ଷମ।
ଅନ୍ୟପକ୍ଷରେ ଗୁରୁବାର ଦିନ ବିହାରର ମଧୁବନୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦୀ ଏବଂ ସେମାନଙ୍କର ପୃଷ୍ଠପୋଷକ ମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଥିଲେ ଯେ ଆମେ ଆକ୍ରମଣକାରୀଙ୍କୁ କଳ୍ପନା ଠାରୁ ମଧ୍ୟ ଅଧିକ ଦଣ୍ଡ ଦେବୁ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଆତଙ୍କବାଦୀଙ୍କ ବାକି ଥିବା ଭୂମିକୁ ଧୂଳିସାତ୍ କରିଦେବୁ। ୧୪୦ କୋଟି ଭାରତୀୟ ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗି ଦେବେ।