ଭୁବନେଶ୍ୱର,୨୬/୦୪: ରାଜ୍ୟରେ ଶନିବାର ତାତିର ପ୍ରକୋପ ଜାରି ରହିବ । ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର ଓ ବଲାଙ୍ଗୀରରେ ଗ୍ରୀଷ୍ମପ୍ରବାହ ବହିବ । ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ନାକେଦମ କରିବ । ରବିବାରଠାରୁ ତାତିରେ ସାମୟିକ ବିରତି ଲାଗିବ । ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବ । ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ୫୦ରୁ ୬୦କିମି ବେଗରେ ପବନ ବହିପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।
ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସହ୍ୟ ଗରମ ଓ ଗୁଳୁଗୁଳି ହୋଇପାରେ । ତେବେ ମାଲକାନଗିରି, ଗଞ୍ଜାମ, କୋରାପୁଟ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୩୦ରୁ ୪୦ କିମି ବେଗରେ ପବନ ବହିପାରେ ।
୨୭ ତାରିଖ(ରବିବାର) କାଳବୈଶାଖୀ ପ୍ରଭାବରେ ଅଧିକ ବର୍ଷା ହେବ । କୋରାପୁଟ, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକରେ ଅପରାହ୍ନରେ ଝଡ଼ ବର୍ଷା ଆଶଙ୍କା ଅଛି । ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ଘଡ଼ଘଡ଼ି ଓ ବର୍ଷା ସହିତ ୪୦ କିମି ବେଗରେ ପବନ ବହିପାରେ ।
୨୮ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ଗଞ୍ଜାମ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ଓ ପବନ ହେବ । ଏହି ସବୁ ସ୍ଥାନରେ ୫୦ରୁ ୬୦କିମି ବେଗରେ ପବନ ବହିପାରେ । ଯାଜପୁର ଓ ସୁନ୍ଦରଗଡ଼ରେ ବର୍ଷା ସହିତ ୫୦ରୁ ୬୦କିମି ବେଗରେ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୯ ତାରିଖରେ ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ମୟୂରଭଞ୍ଜ ଓ କଟକରେ ଝଡ଼ ବର୍ଷା ଆଶଙ୍କା ଅଛି ।
ଶୁକ୍ରବାର ବଲାଙ୍ଗୀର, ନୂଆପଡ଼ା, ରାୟଗଡ଼ା, ଗଞ୍ଜାମ, ନୟାଗଡ଼ ଓ ଗଜପତିର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ବଲାଙ୍ଗୀରରେ ଝଡ଼ ବର୍ଷା ହୋଇଛି । ଗଛ ପଡ଼ିବା ଯୋଗୁ ଦୁଇ ଜଣ ପ୍ରାଣ ହରାଇଛନ୍ତି ।