ନୂଆଦିଲ୍ଲୀ,୦୩/୦୩: ସୋମବାର ଏକ ପ୍ରମୁଖ ସୀମା ପାର ସ୍ଥାନରେ ପାକିସ୍ତାନୀ ଏବଂ ଆଫଗାନ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବିବାଦ ଯୋଗୁଁ ଏହି ସ୍ଥାନଟି ଗୋଟିଏ ସପ୍ତାହରୁ ଅଧିକ ସମୟ ଧରି ବନ୍ଦ ରହିଛି। ଗୁଳିବିନିମୟରେ ତୋରଖାମ କ୍ରସିଂର ଉଭୟ ପାର୍ଶ୍ୱରେ କୌଣସି ମୃତାହତର ରିପୋର୍ଟ ନାହିଁ। ସୀମା ଖୋଲିବା ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ରବିବାର ଉଭୟ ଦେଶର ଅଧିକାରୀମାନେ ଏକ ବୈଠକ କରିଥିଲେ କିନ୍ତୁ ସମସ୍ୟାର କୌଣସି ସମାଧାନ ମିଳିପାରି ନାହିଁ।
ଆଫଗାନିସ୍ତାନ ଦ୍ୱାରା ସେଠାରେ ଏକ ନୂଆ ସୀମା ପାର ନିର୍ମାଣକୁ ପାକିସ୍ତାନ ବିରୋଧ କରିବାରୁ ଏହି କ୍ରସିଂକୁ ୧୧ ଦିନ ପାଇଁ ବନ୍ଦ ରଖାଯାଇଛି। ଗୁଳିବିନିମୟ ଯୋଗୁଁ ଦୁଇ ଦେଶ ପୂର୍ବରୁ ତୋରଖାମ ଏବଂ ଦକ୍ଷିଣ-ପଶ୍ଚିମ ଚମନ ସୀମା କ୍ରସିଂକୁ ବନ୍ଦ କରିଦେଇଥିଲେ। ଏହି କ୍ରସିଂ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ବାଣିଜ୍ୟ ଏବଂ ଯାତାୟାତ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଜଣେ ପାକିସ୍ତାନୀ ଅଧିକାରୀ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ସୋମବାର ତାଲିବାନ ସୁରକ୍ଷା ବାହିନୀ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ରରେ ଗୁଳି ଚଳାଇଥିଲେ, ବିନା କୌଣସି ଉତ୍ତେଜନାରେ ଏକ ପାକିସ୍ତାନୀ ସୀମା ପୋଷ୍ଟକୁ ଟାର୍ଗେଟ କରିଥିଲେ। ଅଧିକାରୀ ଜଣକ କହିଛନ୍ତି ଯେ ପାକିସ୍ତାନୀ କର୍ମଚାରୀମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ। କାବୁଲର ତାଲିବାନ ସରକାରଙ୍କ ପକ୍ଷରୁ ତୁରନ୍ତ କୌଣସି ମନ୍ତବ୍ୟ ଆସିନାହିଁ। କହରଖୁଛୁ ଯେ, ପାକିସ୍ତାନର କାଙ୍ଗାଳ ଅବସ୍ଥା ବର୍ତ୍ତମାନ ଏହାର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲାଣି। କେତେବଳେ ବଲୁଚିସ୍ତାନ ପାକିସ୍ତାନରୁ ଅଲଗା ହେବା କଥା କହିଲାଣି ତ ଆଊ କେତେବେଳେ ପିଓକେରେ ବିଦ୍ରୋହର ନିଆଁ ଜଳୁଛି। ଏତତଦ୍ବ୍ୟତିତ ଦେଶ ଭିତରେ କିଛିମାସ ଭିତରେ ଘନଘନ ଆତଙ୍କବାଦୀ ଆକ୍ରମଣ ସୁରକ୍ଷା ପ୍ରତି ସଂକଟ ସୃଷ୍ଟି କରୁଥିବା ଭଳି ମନେହେଊଛି।