ନୂଆଦିଲ୍ଲୀ: ଜର୍ମାନୀର ମାନହାଇମ୍ ସହରରେ ଜଣେ କାର ଚାଳକ ତାଙ୍କ ଗାଡିକୁ ନେଇ କାର୍ନିଭାଲ୍ ପରେଡରେ ଧସେଇ ପଶିଛି। ସୋମବାର ପଶ୍ଚିମ ଜର୍ମାନୀରେ ଘଟିଥିବା ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଥିବା ପୋଲିସ ସୂଚନା ପ୍ରଦାନ କରିଛି। ଏହି ମାମଲାରେ ପୋଲିସ ପକ୍ଷରୁ ଜଣେ ସନ୍ଦିଗ୍ଧ ଆକ୍ରମଣକାରୀକୁ ଅଟକ ରଖାଯାଇଛି। ପୋଲିସ ସ୍ଥାନୀୟ ଲୋକଙ୍କୁ ସେମାନଙ୍କ ଘର ଭିତରେ ରହିବା ସହିତ ଘଟଣାସ୍ଥଳଠାରୁ ଦୂରରେ ରହିବାକୁ ନିବେଦନ କରିଛି। ତେବେ ଏହି ଆକ୍ରମଣ କିମ୍ବା ଦୁର୍ଘଟଣା ସମ୍ପର୍କରେ ପୋଲିସ କୌଣସି ସୂଚନା ପ୍ରଦାନ କରିନାହିଁ।
ପୋଲିସ ମୁଖପାତ୍ର ଷ୍ଟିଫନ ୱିଲହେମ ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ସୋମବାର ଦିନ ରାତି ପ୍ରାୟ ୧୨ଟା ୧୫ ସମୟରେ ମ୍ୟାନହାଇମ୍ ସହରର ସେଣ୍ଟ୍ରାଲ ପାରାଡେପ୍ଲାଟେଜ ଅଞ୍ଚଳରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସକୁ ମୁତୟନ କରାଯାଇଛି। ହେଲେ ସେ ଏହି ଘଟଣାର ବିଷୟରେ ଅଧିକ ବିବରଣୀ ଦେବାକୁ ମନା କରିଛନ୍ତି।
ସହରର କେନ୍ଦ୍ର ସ୍ଥଳରେ କାହିଁକି ବହୁ ସଂଖ୍ୟକ ଆଇନ ଶୃଙ୍ଖଳାକାରୀ ଏବଂ ସୁରକ୍ଷା ବାହିନୀଙ୍କୁ ନିୟୋଜିତ ହୋଇଛି ତାହା ପୋଲିସ ଏପର୍ଯ୍ୟନ୍ତ ଯାଏଁ ସ୍ପଷ୍ଟ କରି ନାହିଁ। ଜଣେ ମୁଖପାତ୍ର କହିଛନ୍ତି ଯେ ଏହି ଘଟଣା ଯୋଗୁଁ ଲୋକଙ୍କ ଜୀବନ ବିପଦରେ ପଡିପାରେ। ତେବେ ଆପଣଙ୍କୁ ଜଣାଇରଖୁ ଯେ ମାନହାଇମ୍ ର ଜନସଂଖ୍ୟା ହେଉଛି ୩ ଲକ୍ଷ ୨୬ ହଜାର। ଏହି ସ୍ଥାନଟି ଫ୍ରାଙ୍କଫୋର୍ଟ୍ ସହର ଠାରୁ ପ୍ରାୟ ୮୫ କିଲୋମିଟର ଦୂରରେ ଅବସ୍ଥିତ।
ଚଳିତ ବର୍ଷର କାର୍ନିଭାଲ ପରେଡ ପୂର୍ବରୁ ଜର୍ମାନୀରେ ପୋଲିସ ହାଇ ଆଲର୍ଟରେ ରହିଥିଲା। ଆତଙ୍କୀ ଗୋଷ୍ଠୀ ଇସଲାମିକ୍ ଷ୍ଟେଟ୍ ସହ ଜଡିତ ସୋସିଆଲ୍ ମିଡିଆ ଆକାଉଣ୍ଟଗୁଡିକ କୋଲୋନ୍ ଏବଂ ନ୍ୟୁରେନବର୍ଗରେ ପ୍ୟାରେଡ୍ ଉପରେ ଆକ୍ରମଣ କରିବାକୁ ଧମକ ଆସିଥିଲା ବୋଲି ସୂଚନା ମିଲିଛି।