ସମ୍ବଲପୁର, ୧୬/୦୭ : ଡେବ୍ରିଗଡ଼ ଅଭୟାରଣ୍ୟରେ ନୂଆ ଅତିଥି। ଏକ ଦଶନ୍ଧି ପରେ ଦେଖିବାକୁ ମିଳିଛି ବିରଳ ପ୍ରଜାତିର ବଳୁଆ(ବଣୁଆ) କୁକୁର । ଗତକାଲି ଅଭୟାରଣ୍ୟ ଭିତରେ ଯୋଡ଼ି ଅବସ୍ଥାରେ ବୁଲୁଥିବା ସମୟରେ ସେମାନଙ୍କୁ ଠାବ କରାଯାଇଛି । ୨୦୨୩ ଶୀତ ଋତୁରେ ଏହି ପ୍ରଜାତିର କୁକୁର ପ୍ରଥମେ ଦେଖିବାକୁ ମିଳିଥିଲା । ଏହା ପରେ ଏହାର ଦେଖାମିଳିନଥିଲା । ହେଲେ ୧୪ ତାରିଖରେ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ବଳୁଆ କୁକୁର ବୁଲୁଥିବାର ବନ ବିଭାଗ କର୍ମଚାରୀ ଠାବ କରିଛନ୍ତି । ଏହା ଏକ ଦୁର୍ଲଭ ପ୍ରଜାତି ହୋଇଥିବାରୁ ସୁରକ୍ଷା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ କହିଛନ୍ତି ।
ଛତିଶଗଡ଼ ଓ ମଧ୍ୟପ୍ରଦେଶର ଜଙ୍ଗଲ ସହ ଡେବ୍ରିଗଡ଼ ଅଭୟାରଣ୍ୟ ଲାଗି ରହିଛି । ଏହାସହ ସାତକୋଶିଆ ଓ ଶିମିଳିପାଳ ବି ଲାଗିଛି । ଏହି ସ୍ଥାନ ମଧ୍ୟରୁ ଏମାନେ ଆସିଥାଇ ପାରନ୍ତି । କିନ୍ତୁ କେଉଁଠୁ ଆସିଛନ୍ତି ସେନେଇ ସଠିକ୍ ସୂଚନା ନାହିଁ । ଡେବ୍ରିଗଡ଼ ଅଭୟାରାଣ୍ୟ ଭିତରେ ପ୍ରଥମ ଥର ୨୦୨୩ରେ ଏଭଳି ଏକ ବଳୁଆ କୁକୁରକୁ ଠାବ କରାଯାଇଥିଲା । କିନ୍ତୁ ଏହା ଗୋଟିଏ ହୋଇଥିବାରୁ ଏହାର ବଂଶ ବୃଦ୍ଧିକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ହେଲେ ଏହି ଯୋଡ଼ିକୁ ପୁଣି ଥରେ ଠାବ କରାଯିବା ପରେ ଏମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏମାନେ ସାଧାରଣତଃ ୩୦ରୁ ୪୦ ବର୍ଗ କିଲୋମିଟର ମଧ୍ୟରେ ରହୁଥିଲେ । କିନ୍ତୁ ଏବେ ଗୋଟିଏ ଜୋନ୍ରୁ ଅନ୍ୟ ଜୋନ୍କୁ ଯିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।
ଯୋଡ଼ି ଭାବେ ୨ ବଳୁଆ କୁକୁରକୁ ଦେଖିବା ପରେ ଏମାନଙ୍କ ବଂଶ ବୃଦ୍ଧିର ସମ୍ଭାବନା ରହିଛି । ଏମାନଙ୍କ ଖାଦ୍ୟ ପାଇଁ ଡେବ୍ରିଗଡ଼ ମଧ୍ୟରେ ସୁସ୍ଥ ପରିବେଶ ରହିଛି । ପ୍ରଚୁର ପରିମାଣରେ ସମ୍ବର, କୁଟୁରା, ଚିତ୍ତଳ ହରୀଣ, ବାର୍ହା ରହିଛନ୍ତି । ଫଳରେ ଏମାନଙ୍କୁ ଶିକାର କରି ଖାଦ୍ୟ ଭାବେ ଗ୍ରହଣ କରିପାରିବେ ବୋଲି ଡିଏଫ୍ଓ ଦାସ ସୂଚନା ଦେଇଛନ୍ତି । ଅନ୍ୟପ୍ରାଣୀଙ୍କ ମଧ୍ୟରେ ୩ଟି ବଣୁଆ କୁକୁର, ଗୋଟିଏ ଗଧିଆ, ବହୁ ସଂଖ୍ୟକ ହେଟାବାଘ ସହ ୮୦ରୁ ଅଧିକ କଲରାପତରିଆ ଡେବ୍ରିଗଡ଼ରେ ରହିଛନ୍ତି । ବଣୁଆ କୁକୁର ମାନେ ପ୍ରାୟତଃ ଦଳବଦ୍ଧ ହୋଇ ରହୁଥିବାରୁ ଏମାନଙ୍କ ବଂଶବୃଦ୍ଧିର ସମ୍ଭାବନା ରହିଛି । ଗୋଟିଏ ଦଳରେ ୭ରୁ ୮ଟି ବଳୁଆ କୁକୁର ରୁହନ୍ତି । ଏହି କୁକୁର ଦଳବଦ୍ଧ ଭାବେ ଆକ୍ରମଣ କରି ଶିକାର କରିଥା’ନ୍ତି । ହେଲେ ଏମାନଙ୍କୁ ରୋଗ ବ୍ୟାପୀବାର ସମ୍ଭାବନା ଥାଏ । ଅଭୟାରଣ୍ୟର ଆଖପାଖ ଗାଁ କୁକୁର ଜଙ୍ଗଲ ଭିତରକୁ ଅନେକ ସମୟରେ ପ୍ରବେଶ କରନ୍ତି । ତେଣୁ ସେମାନଙ୍କଠାରୁ ଏହି ରୋଗ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ସେମାନଙ୍କ ସୁରକ୍ଷା ପାଇଁ ଅଭୟାରଣ୍ୟର ଆଖାପାଖ ଗାଁର ୨୦୦୦ କୁକୁରଙ୍କୁ ଟିକାକରଣ କରାଯିବ ବୋଲି ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି ।