କେନ୍ଦ୍ରାପଡ଼ା, ୧୬/୦୭ : ଗାଧୋଇବା ବେଳେ ଖସିଗଲା ଗୋଡ଼। ପୋଖରୀରେ ବୁଡ଼ି ଚାଲିଗଲା ଜୀବନ। ମାମୁଁ ଘର ଗାଁରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସଲୀଳ ସମାଧି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜୟଚନ୍ଦ୍ରପୁର ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ସଦର ଥାନା ଓସ୍ତପୁରର ବନ୍ଧପଡ଼ା ଗ୍ରାମର ଭାଗ୍ୟଶ୍ରୀ ରାଉତ(୧୪ ବର୍ଷ)ଙ୍କ ବାପା-ମା' ଗୁଜରାଟରେ ରହି ସୂତା ମିଲ୍ରେ କାମ କରୁଛନ୍ତି। ସେ ମାମୁଁ ଘରେ ରହି ଜୟଚନ୍ଦ୍ରପୁର ପଞ୍ଚାୟତ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ। ବୁଧବାର ସକାଳ ପ୍ରାୟ ୯ଟା ବେଳେ ଭାଗ୍ୟଶ୍ରୀ ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁଁ ବୁଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭାଗ୍ୟଶ୍ରୀଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।