ସମ୍ୱଲପୁର, ୧୪/୧୨: କୁଦ ତବଡା ଗ୍ରାମରେ ଧାନ ଗଦାରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ଗୋଟିଏ କ୍ଷେତର ୪ ଏକର ଜମିର ଅମଳ ଧାନ ଗଦା ଏବଂ ଆଉ ଏକ କ୍ଷେତର ୩ ଏକର ଜମିର ଅମଳ ଧାନ ଗଦା ଜଳି ପାଉଁସ ହେଲା । ସମ୍ୱଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କୁଦଗୁଣ୍ଡେରପୁର ପଞ୍ଚାୟତ ଅନ୍ତର୍ଗତ କୁଦ ତବଡା ଗ୍ରାମରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, କସ୍ତୁବ ଚିର୍ଗୁନ ନାମକ ଜଣେ ଭାଗ ଚାଷୀ ଗୋଟିଏ କ୍ଷେତରେ ୪ ଏକର ଜମିର ଅମଳ ଧାନ ଗଦା ରଖିଥିବା ବେଳେ ଆଉ ଏକ କ୍ଷେତରେ ୩ ଏକର ଜମିର ଅମଳ ଧାନ ଗଦା ମାରି ରଖିଥିଲେ । କିଛି ଦିନ ପରେ ଧାନକୁ ମଣ୍ଡିରେ ବିକ୍ରି କରିଥାନ୍ତେ । ହେଲେ କୌଣସି ଦୁର୍ବୃତ୍ତ ଉଭୟ ସ୍ଥାନରେ ଥିବା ଧାନ ଗଦାକୁ ନିଆଁ ଲଗାଇଦେଇ ଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହା ସହ ନିଆଁକୁ ମଧ୍ୟ ଲିଭାଇବାକୁ ଚେଷ୍ଟା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।