ନୂଆଦିଲ୍ଲୀ,୦୩/୦୩: ଓୟୋ ଭଳି ଏକ ବୃହତ କମ୍ପାନୀ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ଏବେ ବି ହୋଟେଲ ୱାସରୁମ, ଶୌଚାଳୟ ସଫା କରନ୍ତି । ଏହି ଖୁଲାସା ସେ ନିଜେ କରିଛନ୍ତି । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚିନ୍ତ । ତୁରନ୍ତ ଆପଣଙ୍କ ମନକୁ ଆସିବ ଏତେ ବଡ କମ୍ପାନୀର ଫାଉଣ୍ଡର ୱାସରୁମ ସଫା କରନ୍ତି ! ଆସିବା ବି ସ୍ବଭାବିକ୍ । ଏହା ପଛର କାରଣ କଣ କାହିଁକି ଏମିତି କରନ୍ତି ରିତେଶ ଅଗ୍ରୱାଲ । ଜାଣନ୍ତୁ ଏହି ରିପୋର୍ଟରେ ।
ବିନମ୍ରତା ବନାମ ପଦର ଅଭିମାନ- ଓୟୋ ସିଇଓ ରିତେଶ ଅଗ୍ରୱାଲ ନେତୃତ୍ବକୁ ପଦ ପଦବୀରେ ସୀମିତ ରଖିନାହାନ୍ତି । ତାକୁ ସର୍ବଦା କାମରେ କରି ଦେଖାନ୍ତି । ରିତେଶ ଅଗ୍ରୱାଲ ଭାବନ୍ତି ଯେ ଗ୍ରାଉଣ୍ଡ ଲେବଲରୁ କିଛି ଶିଖିବା ସହ ବିନମ୍ରତା ସଫଳତା ପାଇଁ ଜରୁରୀ ହୋଇଥାଏ । ମୁମ୍ବାଇ ଟେକ୍ ୱିକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ରିତେଶ କହିଛନ୍ତି, ''ମୁଁ ଆଜି ବି କେବେ କେବେ ଆମ ହୋଟେଲ ୱାସରୁମ ସଫା କରେ । ଏହା ଏକ ରୋଲ ମଡେଲିଙ୍ଗ୍ ଏକ୍ସରସାଇଜ । ସଫଳତା ହାସଲ କରିବାକୁ ହେଲେ ପ୍ରଥମେ ଲଜ୍ଜା, ଗର୍ବ ଓ ଅହଂକାର ଛାଡିବାକୁ ହେବ । ଏ ସବୁ ସଫଳତାର ଶତ୍ରୁ । ''
ଏପରି କରିବା ପଛର କାରଣ କହି ରିତେଶ କହିଛନ୍ତି, ''ନେତୃତ୍ବର ଏକ ଅଂଶ ସ୍ବରୁପ ଅନ୍ୟ ସଦସ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥାଏ । ନେତୃତ୍ବ କେବଳ ବ୍ୟବସାୟରେ ସୀମିତ ନ ରହୁ । ଏହା ବିନମ୍ରତା, କିଛି ଶିଖିବା ଏବଂ ସକାରାତ୍ମକ ପ୍ରଭାବ ପକାଇବା ଚିନ୍ତାଧାରାରୁ ପ୍ରେରିତ ହୋଇଥାଏ । ସେ ବ୍ୟବସାୟ ହେଉ କି କିଛି ଉଦାହରଣ ସୃଷ୍ଟି କରିବା ହେଉ ।''
ଓଡିଶାରେ ଜନ୍ମଗ୍ରହଣ କରିଥିବା ରିତେଶ ଅଗ୍ରୱାଲ ୨୦୧୨ରେ ଓୟୋ ପ୍ରତିଷ୍ଠା କରିଥିଲେ । ୮୦ଟି ଦେଶରେ ୧ ନିୟୁତରୁ ଅଧିକ ଓୟୋ ହୋଟେଲ ଅଛି । ରିତେଶ ଏହାର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି ।