ନୂଆଦିଲ୍ଲୀ,୧୬।୩: ମଧ୍ୟ ଆମେରିକୀୟ ଦେଶ ପାନାମାରେ ରବିବାର ପୁରା ଦେଶରେ ବ୍ଲାକଆଉଟ୍ ହୋଇଯାଇଛି। ରିପୋର୍ଟ ଅନୁସାରେ, ଲା ଚୋରେରା ଥର୍ମୋଇଲେକ୍ଟ୍ରିକ୍ ପାୱାର ପ୍ଲାଣ୍ଟରେ ଏକ ଜେନେରେଟର ବିସ୍ଫୋରଣ ହେବା ପରେ ଦେଶବ୍ୟାପୀ ବ୍ଲାକଆଉଟ୍ ହୋଇଛି। ବିସ୍ଫୋରଣ ଯୋଗୁଁ ଜେନେରେଟର ଭିତରେ ନିଆଁ ଲାଗିଯାଇଥିଲା। ବିଜୁଳି ଯୋଗଣ ପାଇଁ ଖୁବ୍ ଚେଷ୍ଟା ଚାଲିଛି।
ରାଷ୍ଟ୍ରପତି ଜୋସ୍ ରାଉଲ୍ ମୁଲିନୋ ମଧ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜେନେରେଟର ବିସ୍ଫୋରଣ ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଇନଷ୍ଟିଚ୍ୟୁଟ୍ ଅଫ୍ ଆକ୍ୱିଡକ୍ଟସ୍ ଆଣ୍ଡ୍ ସିୱର୍ସ (IDAAN) କହିଛି ବ୍ଲାକଆଉଟ୍ କାରଣରୁ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରଭାବିତ ହୋଇଛି। ଏହି କାରଣରୁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ମୁଲିନୋ X ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ରାଜଧାନୀ ପାନାମା ସିଟିର ଦକ୍ଷିଣ-ପଶ୍ଚିମରେ ଏକ ପ୍ରତିଷ୍ଠାନରେ ଏହି ବିସ୍ଫୋରଣ ହୋଇଥିଲା।