ନୂଆଦିଲ୍ଲୀ: ପାକିସ୍ତାନର ଝେଲମରେ ହୋଇଥିବା ଗୁଳିମାଡ଼ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦ ଆହତ ହୋଇଛି । ତାକୁ ରାୱଲପିଣ୍ଡିର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସଇଦ ପାକିସ୍ତାନ ସେନାର କୋର୍ପସ କମାଣ୍ଡର ମଙ୍ଗଳାଙ୍କୁ ଭେଟିବା ପରେ ଫେରୁଥିଲା । ସେଠାରେ ତା ଭଣଜା ଅବୁ କତାଲକୁ ହତ୍ୟା କରାଯାଇଥିଲା। ଗଣମାଧ୍ୟମରେ ଖବର ଆସିଥିଲା ଯେ, ହାଫିଜ୍ ସଇଦ ମଧ୍ୟ ଅବୁ କତାଲ ସହିତ ନିହତ ହୋଇଛି କିନ୍ତୁ ଏହା ସତ୍ୟ ନୁହେଁ । ହାଫିଜ୍ ସଇଦ ଏବେ ବି ଜୀବିତ ଅଛି। ଗୁଳିମାଡ଼ରେ ଆହତ ହାଫିଜର ଚିକିତ୍ସା ଚାଲିଛି ।
ହାଫିଜ୍ ସଇଦ ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ । ଏହି ଆକ୍ରମଣରେ ୧୬୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ହାଫିଜ୍ ସଇଦ ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣରେ ମଧ୍ୟ ସାମିଲ ଥିଲା । ୨୦୦୧ ମସିହାରେ, ସଇଦ ଭାରତୀୟ ସଂସଦକୁ ମଧ୍ୟ ଟାର୍ଗେଟ କରିଥିଲା । ସେ NIAର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଅନ୍ତର୍ଭୁକ୍ତ । ମୁମ୍ବାଇ ଆକ୍ରମଣ ପରେ, ଭାରତ ତାକୁ ହସ୍ତାନ୍ତର କରିବାକୁ ପାକିସ୍ତାନକୁ ଅନୁରୋଧ କରିଥିଲା । କିନ୍ତୁ ପାକିସ୍ତାନ ତାକୁ ଆତଙ୍କବାଦୀ ଭାବରେ ଗ୍ରହଣ କରିବାକୁ ଲଗାତାର ମନା କରିଆସିଛି।
ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ୍ ସଇଦର ଭଣଜା ନଦୀମ୍ ଓରଫ ଅବୁ କତାଲ୍ ଶନିବାର ରାତିରେ ପାକିସ୍ତାନର ଝେଲମ୍ରେ ନିହତ ହୋଇଛି। ତାକୁ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି । ଜମ୍ମୁ-କାଶ୍ମୀରର ରିଆସି ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା କତାଲ । ଏହି ଆକ୍ରମଣରେ ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୪୧ ଜଣ ଆହତ ହୋଇଥିଲେ। ଅବୁ କତାଲ ମଧ୍ୟ ରାଜୌରୀ ଆକ୍ରମଣରେ ସାମିଲ ଥିଲା । ଜାନୁଆରୀ ୧, ୨୦୨୩ରେ ରାଜୌରୀରେ ଆକ୍ରମଣ ହୋଇଥିଲା।
ଅବୁ କତାଲ ଜମାତ ଉଦ୍-ଦାୱାର ଶୀର୍ଷ କମାଣ୍ଡର ଥିଲା । ଆକ୍ରମଣରେ ଅବୁ କତାଲର ଜଣେ ସହଯୋଗୀର ମଧ୍ୟ ମୃତ୍ୟୁ ହୋଇଥିଲା। ଅବୁ କତାଲ ଜମ୍ମୁକାଶ୍ମୀରରେ ଅନେକ ଆକ୍ରମଣ ଯୋଜନା ପାଇଁ ଜଣାଶୁଣା ଥିଲା । ଏବଂ ଆତଙ୍କବାଦୀ ସଂଗଠନର ଜଣେ ପ୍ରମୁଖ କାର୍ଯ୍ୟକର୍ତ୍ତା ଥିଲା । କତାଲ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ଜଣେ ଘନିଷ୍ଠ ସହଯୋଗୀ ଥିଲା । ସେ ଭାରତର ଜାତୀୟ ତଦନ୍ତ ସଂସ୍ଥା (NIA)ର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା ।