ନୂଆଦିଲ୍ଲୀ,୦୭/୦୫: ବୁଧବାର ଦିନ ପାକିସ୍ତାନ ଏବଂ ପିଓକେରେ ୯ଟି ଆତଙ୍କବାଦୀ ଭିତ୍ତିଭୁମୀ ଉପରେରେ ଭାରତର ସାମରିକ ଅଭିଯାନ 'ଅପରେସନ ସିନ୍ଦୂର' ପରେ ପାକିସ୍ତାନ ସମସ୍ତ ବିମାନ ଚଳାଚଳ ପାଇଁ ଏହାର ଆକାଶ ସୀମା ଅର୍ଥାତ୍ ଏୟାରସ୍ପେଶ୍କୁ ୪୮ ଘଣ୍ଟା ପାଇଁ ବନ୍ଦ ଘୋଷଣା କରିଛି। ପାକିସ୍ତାନୀ ବିମାନ ଚଳାଚଳ ଅଧିକାରୀମାନେ ଇସଲାମାବାଦ ଏବଂ ଲାହୋର ଏୟାରସ୍ପେଶ୍କୁ ସୀମିତ କରିବା ପରେ ବିମାନଗୁଡ଼ିକ କରାଚୀ ମାର୍ଗ ଦେଇ ଯାତ୍ରା କରିଥିଲା। ପରବର୍ତ୍ତୀ ସମୟରେ, ସୁରକ୍ଷା ସତର୍କତା ସ୍ୱରୂପ ସେମାନେ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଆକାଶ ସୀମାକୁ ବନ୍ଦ କରିଥିଲେ।
ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ପାକ୍ କର୍ତ୍ତୃପକ୍ଷ ଆଠ ଘଣ୍ଟା ପରେ ପ୍ରତିବନ୍ଧକ ଉଠାଇ ଦେଇଥିଲେ, ଏହା ଫଳରେ ବିମାନ ଚଳାଚଳ ପୁଣି ଆରମ୍ଭ ହୋଇଥିଲା। ସକାଳେ ଅନ୍ତର୍ଜାତୀୟ ଏବଂ ଘରୋଇ ସେବା ପୁନଃ ଆରମ୍ଭ ହୋଇଥିଲା, ଅଧିକାଂଶ ବିମାନ କରାଚୀର ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର କିମ୍ବା ଲାହୋରରୁ ଚଳାଚଳ କରିଥିଲା। ପରବର୍ତ୍ତୀ ସମୟରେ, ଏକ ସଂକ୍ଷିପ୍ତ କାର୍ଯ୍ୟକ୍ଷମ ଅବଧି ପରେ ଲାହୋରର ଆକାଶପଥକୁ ପୁଣି ୨୪ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଥିଲା।
କରାଚୀର ଜିନ୍ନା ବିମାନବନ୍ଦରରେ ବହୁ ବିଳମ୍ବରେ ଆନ୍ତର୍ଜାତୀୟ ଏବଂ ଘରୋଇ ବିମାନ ଆସିବା ଏବଂ ଯିବାରୁ ବ୍ୟାପକ ଭିଡ଼ ହୋଇଥିଲା। ଜଣେ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପ୍ରତିନିଧି ନିଶ୍ଚିତ କରିଛନ୍ତି ଯେ ପଶ୍ଚିମ ଏସୀୟ ରାଷ୍ଟ୍ରଗୁଡ଼ିକ ଏବଂ ଅନ୍ୟାନ୍ୟ ସ୍ଥାନରୁ ପରିଚାଳିତ ବିମାନଗୁଡ଼ିକ ସେମାନଙ୍କର ନିୟମିତ ସମୟସୂଚୀ ଅନୁସାରେ ପୁନଃଆରମ୍ଭ କରିଛନ୍ତି। ପ୍ରତିନିଧି ଉଲ୍ଲେଖ କରିଛନ୍ତି ଯେ ଘରୋଇ ବିମାନ ସେବା ମଧ୍ୟ ପୁଣି ଆରମ୍ଭ ହୋଇଛି ଏବଂ ପରବର୍ତ୍ତୀ ସୂଚନା ନ ମିଳିବା ପର୍ଯ୍ୟନ୍ତ ଏହା ଜାରି ରହିବ।
ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ଏସୀୟ ଏବଂ ୟୁରୋପକୁ ସଂଯୋଗ କରୁଥିବା ବିମାନ ଚଳାଚଳର ମାର୍ଗ ପରିବର୍ତ୍ତନ କିମ୍ବା ବିମାନ ଚଳାଚଳ ବନ୍ଦ କରିବାକୁ ବୁଧବାର ଦିନ ଅନେକ ଏସୀୟ ବିମାନ କମ୍ପାନୀ ଘୋଷଣା କରିଛନ୍ତି। ପାକିସ୍ତାନୀ ଆକାଶ ସୀମାକୁ ଏଡାଇବା ପାଇଁ ଆନ୍ତର୍ଜାତୀୟ ବିମାନ କମ୍ପାନୀ ୨୫ ରୁ ଅଧିକ ବିମାନ ଚଳାଚଳ ମାର୍ଗ ପରିବର୍ତ୍ତନ କରିଛନ୍ତି।