ଅନୁଗୁଳ,୦୬/୦୯: ଗାଁ ପାଖ ପୋଖରୀକୁ ଯାଇଥିବା ବେଳେ ଆକ୍ରମଣ କରିଲା ଦନ୍ତା । ଏହି ଆକ୍ରମଣରେ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ଗଡ଼ତଇଳା ଗ୍ରାମର କଷ୍ଟୁ ଦେହୁରୀ (୮୦) ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାରେ ବନ୍ତଳା ଗ୍ରାମର କୁମାରୀ ସାହୁ (୬୦) ଆହତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା କୁମୁରିସିଂହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଡ଼ତଇଳା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ମୁତାବକ, କଷ୍ଟୁ ଦେହୁରୀ ଏବଂ କୁମାରୀ ସାହୁ ଗାଁ ପାଖ ପୋଖରୀକୁ ଯାଇଥିଲେ । ସେଠାରେ ଥିବା ବେଳେ ଏକ ଦନ୍ତା ହାତୀ ଉଭୟଙ୍କ ଉପରକୁ ଆକ୍ରମଣ କରିଥିଲା । ଏହା ଦେଖି ସ୍ଥାନୀୟଲୋକେ ଉଭୟଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ସେଠାରୁ ଉଦ୍ଧାର କରି ତୁରନ୍ତ ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ । ସେଠାରେ ଡାକ୍ତର କଷ୍ଟୁ ଦେହୁରୀଙ୍କୁ ମୃତ ଘୋଷଣା କରିଥିଲେ । ଏ ବିଷୟରେ ସ୍ଥାନୀୟଲୋକେ ପୋଲିସକୁ ଅବଗତ କରାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ କୁମାରୀ ସାହୁ ଗୁରୁତର ଆହତ ହୋଇଥିବାରୁ ଅନୁଗୁଳ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଛି । ତାଙ୍କର ଗୋଡ଼ ଏବଂ ହାତରେ ଶକ୍ତ ଆଘାତ ହୋଇଛି ।