ଖଲ୍ଲିକୋଟ --୨/୧ :ଜିରୋ ନାଇଟରେ ଗଣ୍ଡାପଲ୍ଲୀ ଓଡ଼ିଆରପି କଲୋନୀରେ ହୋଇଥିବା ଛୁରୀ ମାଡ଼ ଓ ଗୁଳିକାଣ୍ଡ ଘଟଣାରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି।
ଜିରୋ ନାଇଟରେ ବାହାରୁ ଆସିଥିବା କିଛି ଯୁବକଙ୍କ ଆକ୍ରମଣରେ କଲୋନୀର ୪ ଜଣ ଅଜୟ ବେହେରା, ମୋହନ ନାହାକ, ବସନ୍ତ ପରିଡା ଓ ଚନ୍ଦନ ନାହାକ ଗୁରୁତର ଆହତ ହୋଇ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଥିଲେ। ତେବେ ଆଜି ଗୁରୁତର ଆହତ ଥିବା ବସନ୍ତ ପରିଡା ଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ମୃତ ବସନ୍ତ ପରିଡାଙ୍କ ପେଟରେ ଛୁରୀ ମାଡ଼ ହୋଇଥିଲା। ଏବେବି ୩ଜଣ ଗୁରୁତର ବ୍ରହ୍ମପୁର ଏମକେସିଜି ମେଡିକାଲ ରେ ଚିକିତ୍ସା ହେଉଛନ୍ତି । ମୃତ ବସନ୍ତ ପରିଡ଼ା ଙ୍କ ଘର ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଗଡ଼ ଅଞ୍ଚଳରେ । ସେ ଓଡ଼ିଆରପି କଲୋନୀରେ ରହୁଥିବା ନିଜ ଶ୍ୱଶୁର ଘରକୁ ନୂଆବର୍ଷ ପାଳନ କରିବାକୁ ଆସିଥିଲେ।
ଖଲ୍ଲିକୋଟ ବ୍ଲକ ତଥା ରମ୍ଭା ଥାନା ଅନ୍ତର୍ଗତ ସବୁଳିଆ ଓଡ଼ିଆରପି କଲୋନୀ ରେ ୪ ଜଣ ଯୁବକ ଜିରୋ ନାଇଟ ରେ ଗୁଳି ଫୁଟାଇବା ସହ ଛୁରୀ ଆକ୍ରମଣ କରିଥିଲେ । ପ୍ରେମ ଜନିତ ଘଟଣା ରୁ ଜିରୋ ନାଇଟରେ ଗଣ୍ଡଗୋଳ ହୋଇଥିବା ବେଳେ ଓଡ଼ିଆରପି କଲୋନୀ ବାସିନ୍ଦା ଗଣ୍ଡଗୋଳ କୁ ବୁଝାସୁଝା କରିବାକୁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଯୁବକ ମାନେ ସାହି ଲୋକଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ରେ ସେହି ଗାଁ ର ୩ଜଣ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଅଞ୍ଚଳର ବସନ୍ତ ମଧ୍ୟ ଗୁରୁତର ହୋଇଥିଲେ । ତେବେ ଆଜି ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇଛି।