ପ୍ରମୂଖ ଖବର
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଦକ୍ଷିଣରୁ ଉତ୍ତରକୁ ଯୋଡିବ ପ୍ରସ୍ତାବିତ ମେରୁଦଣ୍ଡ ଏକ୍ସପ୍ରେସ୍‌ ୱେ, ପୂର୍ବରୁ ପଶ୍ଚିମକୁ ଯୋଡ଼ିବ ନୂଆ ୪ଟି କରିଡର

ଭୁବନେଶ୍ୱର,୦୪/୧୦:  ବିରାଟ ଯୋଜନା । ଦକ୍ଷିଣ ଓଡ଼ିଶାର ଶେଷ ମୁଣ୍ଡ ମୋଟୁରୁ ଉତ୍ତର ଓଡ଼ିଶାର  ଶେଷ ଭାଗ ତିରିଂ ଯାଏଁ ଯିବ ସୁଦୀର୍ଘ  ସଡ଼କ ପଥ । ପୂରା ଓଡ଼ିଶାର ମଝି ଭାଗ ଦେଇ ଯିବ ପ୍ରସ୍ତାବିତ ମେରୁଦଣ୍ଡ ଏକ୍ସପ୍ରେସ୍‌ ୱେ । ୯ ଜିଲ୍ଲା ଭିତର ଦେଇ ନିର୍ମାଣ ହେବ ୯୬୯  କିଲୋମିଟର ସଡ଼କ । ଖର୍ଚ୍ଚ ହେବ  ପ୍ରାୟ ୧୪ ହଜାର ୮୦୯ କୋଟି ଟଙ୍କା ।  

ସାରା ରାଜ୍ୟରେ ସଡ଼କ  ଯୋଗାଯୋଗ ବ୍ୟବସ୍ଥାରେ ଆସିବ  ବିରାଟ ପରିବର୍ତ୍ତନ । ସବୁ ଭାଗକୁ ଛୁଇଁବ ରାଜପଥ । ଦକ୍ଷିଣରୁ ଉତ୍ତରକୁ ପୂରା କେନ୍ଦ୍ରୀୟ ଓଡ଼ିଶା ଦେଇ ଏହି  ରାସ୍ତା ଲମ୍ବିବ । ଖାଲି ସେତିକି ନୁହେଁ,  ଏହାକୁ ସଂଯୋଗ କରି ପଶ୍ଚିମରୁ ପୂର୍ବକୁ  ସଂଯୋଗ କରିବ ୪ଟି ନୂଆ କରିଡର । ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କ  ସୂଚନା ମୁତାବକ, ଓଡ଼ିଶାର ମଝି ଦେଇ  ସଡ଼କ ପଥଟି ଏମିତି ଯିବ, ସତେ  ଯେମିତି ଏହା ରାଜ୍ୟର ମେରୁଦଣ୍ଡ  ଭଳି ଛିଡ଼ା ହେବ । ସେହିପରି  ପଶ୍ଚିମରୁ ପୂର୍ବକୁ ୪ଟି ରାଜପଥ  ଏଭଳି ନିର୍ମାଣ ହେବ, ଯେମିତି  ମଣିଷ କଙ୍କାଳର ପିଞ୍ଜରା ହାଡ଼ ବାମରୁ  ଡାହାଣକୁ ଲମ୍ବିଥାଏ ।  

ବିସ୍ତୃତ ଯୋଜନାଟି ଏମିତି ମେରୁଦଣ୍ଡ ଏକ୍ସପ୍ରେସ ମାଲକାନଗିରି  ଜିଲ୍ଲାର ମୋଟୁଠାରୁ (ଯାହାକି ରାଜ୍ୟର  ଶେଷ ମୁଣ୍ଡ) ବାହାରିବ । ସେଠାରୁ ମାଲକାନଗିରି ସହର, ଗୋବିନ୍ଦପାଲି,  କୋରାପୁଟ, କାଶୀପୁର, ଆମ୍ବଦୋଳା,  ତୁମୁଡ଼ିବନ୍ଧ, ନୂଆଗାଁ, ସାରଙ୍ଗଗଡ଼,  ଫୁଲବାଣୀ, ପୁରୁଣା କଟକ, ଆଠମଲ୍ଲିକ,  ବଇଁନ୍ଦା, କଣିହା, ଖମାର, କାଞ୍ଜିପାଣି,  କେନ୍ଦୁଝର, ଯଶିପୁର, ରାଇରଙ୍ଗପୁର ଦେଇ ତିରିଂରେ ପହଞ୍ଚିବ ।  

ଯୋଜନା ଅନୁସାରେ ଏହି ପ୍ରସ୍ତାବିତ  ରାସ୍ତା ୬ ଥାକିଆ (ଲେନ୍‌) ହେବ । ଏହା  ସହ ଉଭୟ ପାଶ୍ୱର୍ରେ ୨ ଲେନ୍‌ ଲେଖାଏଁ  ରହିବ ସର୍ଭିସ ରାସ୍ତା । ୩୮ଟି କିମି  ରାସ୍ତା ସମ୍ପୂର୍ଣ୍ଣ ଭାବେ ନୂଆ କରି ନିର୍ମାଣ  କରାଯିବ । ବାକି ଯେଉଁ ରାସ୍ତା ଅଛି,  ତାହାକୁ ନୂଆ ରୂପ ଦେଇ ସମ୍ପ୍ରସାରଣ କରାଯିବ । ଏଥିରେ ଜାତୀୟ ରାଜପଥର  ୪୫୭ କିମି, ପୂର୍ତ୍ତ ବିଭାଗର ୩୦୮ କିମି  ଓ ଅନ୍ୟାନ୍ୟ ବିଭାଗର ୧୬୬ କିମି ରାସ୍ତା  ରହିଛି । ବର୍ତ୍ତମାନ ଏହା ଭିତରୁ ୨୨୮  କିମି ଗୋଟିଏ ଲେନ୍‌ ରାସ୍ତା ଥିବାବେଳେ  ୬୫୩ କିମି ଦୁଇ ଲେନ୍‌ ରହିଛି ।  

ମୂଳ ଉଦ୍ଦେଶ୍ୟ ହେଲା- ଓଡ଼ିଶା  ଦେଇ ଯାଇଥିବା ଜାତୀୟ ରାଜପଥ ଓ  ପ୍ରମୁଖ ରାସ୍ତାଗୁଡ଼ିକ ମୁଖ୍ୟତଃ ଉପକୂଳ କିମ୍ବା ପଶ୍ଚିମ ଓଡ଼ିଶା ଦେଇ ଯାଇଛି । ମାତ୍ର ଆଭ୍ୟନ୍ତରୀଣ  କିମ୍ବା କେନ୍ଦ୍ରୀୟ ଅଞ୍ଚଳ ଦେଇ କୌଣସି ଜାତୀୟ ରାଜପଥ କିମ୍ବା ପ୍ରମୁଖ  ରାସ୍ତା ଯାଇନାହିଁ । ସମ୍ପୂର୍ଣ୍ଣ ଓଡ଼ିଶାରେ ଗମନାଗମନ ଯୋଗାଯୋଗ  ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଏହି ଯୋଜନା କରାଯାଇଛି । 

ରାଜ୍ୟ ସରକାର ଏ ନେଇ ଗୁରୁତର ସହ ବିଚାର ବିମର୍ଷ  ଚଳାଇଛନ୍ତି । ଖାଲି ସେତିକି ନୁହେଁ, ଏହି ପରିକଳ୍ପନାକୁ ବାସ୍ତବ ରୂପ ଦେବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି  ପ୍ରସ୍ତାବିତ କରିଡର ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ  ଗଡ଼କରୀଙ୍କ ସହ ମଧ୍ୟ କଥା ହୋଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଅଟଳ ଏକ୍ସପ୍ରେସ ଯୋଜନାରେ ସାମିଲ କରିବାକୁ ପ୍ରସ୍ତାବ  ଦିଆଯାଇଛି । ସେହିପରି ପଶ୍ଚିମ ଓ ପୂର୍ବ ଓଡ଼ିଶା ସଂଯୋଗୀକରଣ  ପାଇଁ ୪ଟି କରିଡର ଯୋଜନା କରିଛି ପୂର୍ତ୍ତ ବିଭାଗ । ଏସବୁ ଯାକ  କରିଡରରେ ୬ ଲେନ୍‌ ରାସ୍ତା ରହିବ, ଏହାସହ ୨ ଲେନ୍‌ ଲେଖାଏଁ  ସର୍ଭିସ୍‌ ରାସ୍ତା ଉଭୟ ପାଶ୍ୱର୍ରେ ରହିଛି । 

ପ୍ରଥମ କରିଡର ଝାରସୁଗୁଡ଼ାରୁ ବାହାରି ବାଲେଶ୍ୱରରେ  ପହଞ୍ଚିବ, ପ୍ରାୟ ୩୮୩ କିମି । ଖର୍ଚ୍ଚ ହେବ ପାଖାପାଖି ସାଢ଼େ ୭୫୦୪  ଟଙ୍କା । ଏହା ଝାରସୁଗୁଡ଼ା, ବଣାଇଗଡ଼, କେନ୍ଦୁଝର, ଠାକୁରମୁଣ୍ଡା,  ଉଦଳା ହୋଇ ବାଲେଶ୍ୱର ଛୁଇଁବ । ୪୧ କିମି ପୂରା ନୂଆ ସଡ଼କ  ତିଆରି ହେବ । ବାକି ଯେଉଁ ରାସ୍ତା ଅଛି, ତା’ର ନବକଳେବର  କରାଯିବ । ଏଥିରେ ପୂର୍ତ୍ତ ବିଭାଗର ୨୯୬ କିମି, ଏନ୍‌ଏଚ୍‌ ୧୫ କିମି  ଓ ବାକି ବିଭାଗର ୩୧ କିମି ରାସ୍ତା ଅଛି ।  

ଦ୍ୱିତୀୟ କରିଡର ସମ୍ବଲପୁରରୁ ସାତଭାୟା ପାଇଁ ଯୋଜନା  ହୋଇଛି । ଏଥିରେ ୪୦୪ କିମି ରାସ୍ତା ପାଇଁ ୫୪୭୭ କୋଟି ଟଙ୍କା  ଖର୍ଚ୍ଚ ଆକଳନ କରାଯାଇଛି । ପ୍ରସ୍ତାବିତ କରିଡରଟି ସମ୍ବଲପୁରରୁ  ନାକଟିଦେଉଳ, ବୁଢ଼ାବାହାଲ, କଣିହାଁ, ତାଳଚେର, କାମାକ୍ଷାନଗର,  ଯାଜପୁର, ଚାନ୍ଦବାଲି ହୋଇ କେନ୍ଦ୍ରାପଡ଼ାର ସାତଭାୟାକୁ ନେବାକୁ  ଯୋଜନା ଅଛି । ଏଥିରେ ୨୬୧ କିମି ଏନ୍‌ଏଚ୍‌, ୧୩୫ ପୂର୍ତ୍ତ ରାସ୍ତା  ସହ ଅନ୍ୟ ବିଭାଗର ୪ କିମି ରାସ୍ତାର ଉନ୍ନତିକରଣ କରାଯିବ । ମାତ୍ର  ୪ କିମି ରାସ୍ତା ସମ୍ପୂର୍ଣ୍ଣ ନୂଆ କରି ନିର୍ମାଣ ହେବ । 

ତୃତୀୟ କରିଡରଟି ନୂଆପଡ଼ାରୁ ପୁରୀର ଅସ୍ତରଙ୍ଗକୁ ହେବ । ୪୯୧ କିମି ରାସ୍ତା ପାଇଁ ପ୍ରାୟ ୯୩୫୯ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ଏହି ରାସ୍ତା ନୂଆପଡ଼ା, ପାଟଣାଗଡ଼, ବଲାଙ୍ଗୀର, ଫୁଲବାଣୀ, ଦଶପଲ୍ଲା, ଖୋର୍ଦ୍ଧା, ପିପିଲି ଦେଇ ଅସ୍ତରଙ୍ଗରେ  ପହଞ୍ଚିବ । ଏଥିରେ ୨୭ କିମି ସମ୍ପୂର୍ଣ୍ଣ ରାସ୍ତା ନିର୍ମାଣ ହେବ । ୪୭  କିମି ଏନ୍‌ଏଚ୍‌, ୩୭୦ କିମି ପୂର୍ତ୍ତ ରାସ୍ତା ଓ ଅନ୍ୟ ବିଭାଗର ୪୭  କିମି ରାସ୍ତାକୁ ସମ୍ପ୍ରସାରଣ ଓ ଉନ୍ନତିକରଣ କରାଯିବା ଯୋଜନା ଅଛି ।  

ଚତୁର୍ଥ କରିଡର କଳାହାଣ୍ଡିର ବୃନ୍ଦାବାହାଲ୍‌ରୁ ଗଞ୍ଜାମର  ଗୋପାଳପୁରକୁ ନିର୍ମାଣ ହେବ। ପ୍ରସ୍ତାବିତ ଏହି କରିଡରରେ ୬୮୦୦  କୋଟି ଟଙ୍କା ବ୍ୟୟରେ ୩୫୭ କିମି ସଡ଼କ ନିର୍ମାଣ ଯୋଜନା ଅଛି । ବୃନ୍ଦାବାହାଲ, ଭବାନୀପାଟଣା, ବ୍ରାହ୍ମଣୀଗାଁ, ବଡ଼ଗଡ଼, ଆସିକା ଦେଇ ଗୋପାଳପୁରରେ ପହଞ୍ଚିବ ଏହି ରାସ୍ତା । ୧୭୬ କିମି ପୂର୍ତ୍ତ ସଡ଼କ,  ୩୮ କିମି ଏନ୍‌ଏଚ୍‌, ୧୩୩ କିମି ଅନ୍ୟ ବିଭାଗ ରାସ୍ତାର ଉନ୍ନତିକରଣ ହେବ । କେବଳ ୧୦ କିମି ନୂଆ ସଡ଼କ ନିର୍ମାଣ କରିବାକୁ ପଡ଼ିବ । 

ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସୂଚନା ଅନୁସାରେ ପ୍ରସ୍ତାବିତ ମେରୁଦଣ୍ଡ ଏକ୍ସପ୍ରେସ ଓ ୪ଟି ଯାକ କରିଡର ନିର୍ମାଣ ହେଲେ  ଓଡ଼ିଶା ସଡ଼କ ଯୋଗାଯୋଗ କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖି । ୪ଟି ଯାକ କରିଡର ହେଲେ ଭବାନୀପାଟଣା, ଗୋପାଳପୁର,  ପାରାଦୀପ, ସମ୍ବଲପୁରରେ ବିକାଶର ଧାରା ଆହୁରି ତ୍ୱରାନ୍ୱିତ ହେବ । ବ୍ୟବସାୟିକ କାରବାର ବଢ଼ିବ । ଅର୍ଥନୀତି ସମୃଦ୍ଧ ହେବ। ଉପକୂଳ  ଓ ପଶ୍ଚିମ ଓଡ଼ିଶା ଦୂରତ୍ୱ କମି । ବଡ଼ କଥା ହେଲା, କେନ୍ଦ୍ରୀୟ  ଓଡ଼ିଶାରେ ବିକାଶର ନୂଆ ଧାରା ଆରମ୍ଭ ହେବ । କେନ୍ଦ୍ରରୁ ସବୁଜ  ସଙ୍କେତ ମିଳିବା ପରେ ଏ ସମସ୍ତ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ ହେବ ।  ପର୍ଯ୍ୟାୟ କ୍ରମେ ଏହାକୁ କାର୍ଯ୍ୟକାରୀ କରାଯିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.